AI କ୍ୟାମେରାରେ ପୁରା ଶ୍ରୀକ୍ଷେତ୍ର

0

ପୁରୀ,୨୫/୬ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ ଛାଉଣୀରେ ପରିଣତ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଜଳ, ସ୍ଥଳ ଓ ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ପୁରୀ ଏବଂ କୋଣାର୍କ – ପୁରୀ ମଧ୍ୟରେ ୨୭୫ ଏଆଇ କ୍ୟାମେରା ଲଗାଯାଇଛି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମେତ ଗହଳି ନିୟନ୍ତ୍ରଣକୁ ଗୁରୁତ୍ବ ଦେଇଛି ପୁଲିସ। ରାଜ୍ୟ ପୁଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆ ମଙ୍ଗଳବାର ପୌର ସଦନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ରଥଯାତ୍ରା ପାଇଁ ୨୦୫ ପ୍ଲାଟୁନ ପୁଲିସ ଫୋର୍ସ, ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୧୦ ୟୁନିଟ ଏସଓଜି, ୨୧ ଆରକ୍ଷୀ ଅଧୀକ୍ଷକ, ୪୧ ଅତିରିକ୍ତ ଏସପି, ୯୬ ଡିଏସପି, ୧୭୨ ଇନ୍ସପେକ୍ଟର, ୮୯୮ ପୋଲିସ ଏଏସଆଇଙ୍କୁ ନିୟୋଜିତ କରାଯାଇଛି। ଏହାଛଡା ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଓ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯିବ। ତଟରକ୍ଷୀ ବାହିନୀ ସମୁଦ୍ରରେ ପଇଁତରା କରିବେ। ପୁରୀ ରେଳ ଷ୍ଟେସନରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରାକୁ ତ୍ରୁଟିଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା କରାଯିବ। ଏଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସେ କହିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି କହିଛନ୍ତି। ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାମୁକ୍ତ ରଥଟଣା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି।

ଏ ବର୍ଷ ସମନ୍ୱିତ ନିୟନ୍ତ୍ରଣ କକ୍ଷ ପୁରୀ ଟାଉନ ଥାନାରେ ଖୋଲାଯାଇଛି। ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି। ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ। ନିଜର ଦାୟିତ୍ବକୁ ସଠିକ ଭାବେ ସମ୍ପାଦନ କରିବାକୁ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ପୁଲିସ ବାହିନୀକୁ ନିଜର ବାସସ୍ଥଳୀ ଏବଂ ଆଖପାଖ ଅଞ୍ଚଳର ପରିବେଶକୁ ପରିଷ୍କାର, ପରିଚ୍ଛନ ତଥା ସ୍ୱଛ ରଖିବାକୁ ପରାମର୍ଶ ଦିଆଯାଇଛି।

ଗୁଇନ୍ଦା ନିର୍ଦେଶକ ଆର.ପି. କୋଚେ ରଥଯାତ୍ରା ସମୟରେ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ବସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍‌ରେ ରହୁଥ‌ିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ବ ବହୁମାତ୍ରାରେ ବୃଦ୍ଧି ପାଇବ। ପୁରୀ ପ୍ରବେଶ ପଥରେ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ, ସ୍ପେଶାଲ ଟାକ୍‌ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନକରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ କୋଚେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା କହିଛନ୍ତି।

Leave A Reply

Your email address will not be published.