ଶ୍ରୀମନ୍ଦିର ବିକାଶକୁ କେନ୍ଦ୍ରୀୟ ଝଟ୍‌କା : ୩୦୦ ମିଟର ପାଇଁ ଲାଗିବ କଟକଣା

ଭୁବନେଶ୍ବର,୭ /୨: ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପଟେ ୭୫ମିଟର ପରିଧି ଅଞ୍ଚଳକୁ ଐତିହ୍ୟ କରିଡ଼ରରେ ପରିଣତ କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି। କୋଠା ହଟାଯାଇଛି, ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ନେଇ ସରକାରଙ୍କ ସ୍ବପ୍ନକୁ କେନ୍ଦ୍ର ସରକାର ଏକ ଜବରଦସ୍ତ ଝଟ୍‌କା ଦେଇଛନ୍ତି। କେନ୍ଦ୍ରର ଏକ ବଡ଼ ନିଷ୍ପତ୍ତି ସମୁଦାୟ ବିକାଶ ପ୍ରକ୍ରିୟାର ତଣ୍ଟିମୋଡ଼ି ଦେବାଭଳି ପରିସ୍ଥିତି ସୃଷ୍ଟି କଲାଣି।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ-ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ। ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଯଦିଓ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନଏମଏର ମଞ୍ଜୁରି ନିଶ୍ଚିତ ଆବଶ୍ୟକ।