ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି : ଗଜପତି ମହାରାଜ

ପୁରୀ,୨୫/୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ଐତିହ୍ୟ ପ୍ରକଳ୍ପ କାମ ଶେଷ କରିବାକୁ ସମସ୍ତେ ସହଯୋଗ କରିବା ଦରକାର। ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ୍‌ ନୁହେଁ। ସମସ୍ତେ ମିଶି ପ୍ରକଳ୍ପ କାମ ଆଗେଇ ନେବା ଉଚିତ୍‌।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ ମାମଲା ନେଇ ବିସ୍ତୃତ ତଥ୍ୟ ରଖିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅଧିକ ସମୟ ମାଗିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏପ୍ରିଲ ୨୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ବିସ୍ତୃତ ତଥ୍ୟ ରଖିପାରି ନଥିବା ବେଳେ ପୁଣି ଅତିରିକ୍ତ ସମୟ ମାଗିଛି। ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଶେଷଜ୍ଞ ଟିମ୍ ଦ୍ୱାରା ପରିଦର୍ଶନ ନିର୍ଦ୍ଦେଶ ଦେବା ସହ ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ପୁନଃ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ରେ ହେବ ବୋଲି ଜଣାପଡ଼ିଛି। ବେଆଇନ ଖନନ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।