ନୂଆଦିଲ୍ଲୀ, ୧୦/୯ : ଚୀନ ସହିତ ସୀମା ବିବାଦ ମଧରେ ଆଜି ଫ୍ରାନ୍ସ ନିର୍ମିତ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୦ ଟାରେ ଆୟାଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମ୍ବାଲା ବିମାନଘାଟୀଠାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗଦାନ ଯୋଗୁଁ ଅମ୍ବାଲା ବାୟୁସେନା ଷ୍ଟେସନ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି। ଗୁପ୍ତଚର ଏଜେନ୍ସିଗୁଡ଼ିକ ପ୍ରତି ସେକେଣ୍ଡରେ ଖବର ସଂଗ୍ରହ କରୁଛନ୍ତି ।
ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍ ବିମାନ ରହିଛି।
ଆଜିର କାର୍ଯ୍ୟକ୍ରମ
ପାରମ୍ପାରିକ ଭାବରେ ସର୍ବ ଧର୍ମ ପୂଜା ପରେ ରାଫେଲ ବିମାନକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯିବ। ଏହା ପରେ ରାଫେଲ ଯୁଦ୍ଧ ବିମାନ, ତେଜସ ବିମାନ ଏବଂ ସାରଙ୍ଗ ଏରୋବାଟିକ୍ ଟିମ୍ ଆକାଶରେ ଉଡ଼ିବେ ଏବଂ ଏକ ଚମତ୍କାର ବାୟୁ ପ୍ରଦର୍ଶନୀ ଉପସ୍ଥାପନ କରିବେ |
ଏହା ପରେ ରାଫେଲ ବିମାନକୁ ଏକ ପାରମ୍ପାରିକ ୱାଟର କ୍ୟାନନ ସାଲ୍ୟୁଟ ଦିଆଯିବ | ଏହା ସହିତ ରାଫେଲ ବାୟୁସେନାର ଗୌରବମୟ ଦଳର ଏକ ଅଂଶ ହେବ | ଏହି ସମାରୋହରେ ଭାରତୀୟ ଏବଂ ଫରାସୀ ପ୍ରତିନିଧୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ।
ଫ୍ରାନ୍ସରୁ ଆସୁଥିବା ଅତିଥି ତାଲିକାରେ ଇମାନୁଏଲ୍ ଲେନେନ୍, ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ, ଏୟାର ଜେନେରାଲ୍ ଏରିକ୍ ଆଟୁଲେଟ୍, ଫ୍ରାନ୍ସର ଏୟାର ଷ୍ଟାଫ୍ ଉପାଧ୍ୟକ୍ଷ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ରହିବେ। ଅକ୍ଟୋବର ଏବଂ ନଭେମ୍ବର ସୁଦ୍ଧା ଭାରତକୁ ଆଉ ୫ଟି ରାଫେଲ ଆସିବ | ୨୦୨୧ ଶେଷ ସୁଦ୍ଧା ୩୬ ରାଫେଲ ଯୁଦ୍ଧ ବିମାନ ଆସିବ |