ନୂଆଦିଲ୍ଲୀ, ୦୩/୧୧ : ବିହାର ନିର୍ବାଚନ ବେଳେ ନିଆରା ଢଙ୍ଗରେ ନଜର ଆସିଛନ୍ତି ରାହୁଲ ଗାନ୍ଧୀ । ବେଗୁସରାୟରେ ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ରାହୁଲ ମାଛ ଧରାଳି ସାଜିଛନ୍ତି । ବେଗୁସରାୟରେ ଜଣେ ମାଛ ଚାଷୀଙ୍କ ପୋଖରୀରେ ପାରମ୍ପରିକ ମାଛ ଧରାରେ ସହାୟତା କରୁଥିବାର ନଜର ଆସିଥିଲେ ବିରୋଧୀଦଳ ନେତା । ଏହି କାର୍ଯ୍ୟରେ ତାଙ୍କ ସହ କହ୍ନେୟା କୁମାର ଓ ମୁକେଶ ସାହାଣୀଙ୍କୁ ମଧ୍ୟ ଦେଖା ଯାଇଛି । ରବିବାର ସେ ବେଗୁସରାୟରେ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିବା ବେଳେ ମାଛ ଧରାଳି ସାଜିବା ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବେ ମହାମେଣ୍ଟ ପାଇଁ ବିହାରରେ ବିଧାନସଭା ନିର୍ବାଚନ ପ୍ରଚାର କରୁଛନ୍ତି । ଏହି ଅବସରରେ ନିର୍ବାଚନୀ ସଭାକୁ ଯିବା ରାସ୍ତାରେ ରାହୁଲ ମତ୍ସ୍ୟ ଚାଷ କରୁଥିବା ଚାଷୀଙ୍କୁ ଭେଟିଥିଲେ ଏବଂ ଏକ ଡଙ୍ଗାରେ ଯାଇ ପୋଖରୀକୁ ଡେଇଁ ଲମ୍ପ ମାରିଥିଲେ, ଆଉ ମାଛ ଧରାଳିଙ୍କ ସହ ମିଶି ପାରମ୍ପରିକ ଢଙ୍ଗରେ ମାଛ ଧରିଥିଲେ କଂଗ୍ରେସ ଯୁବରାଜ । ମହାମେଣ୍ଟ ମତ୍ସ୍ୟଜୀବୀଙ୍କ ନିମନ୍ତେ ଅନେକ ପ୍ରତିଶ୍ରୁତି ରଖିଛି । ଏହା ଛଡା ମହାମେଣ୍ଟର ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁକେଶ ସାହାଣୀ ମତ୍ସ୍ୟ ଜୀବୀ ସମୂଦାୟଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ତେଣୁ ରାହୁଲଙ୍କ ମାଛ ଧରା ଷ୍ଟାଇଲ ଏବେ ରାଜ୍ୟରେ ମହ୍ଲା ଓ ନିଷାଦ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ରାଜନୀତି ବିଷାରଦମାନେ ଆକଳନ କରିଛନ୍ତି ।