ଶ୍ରୀନଗର,୩୦/୧: ‘ଭାରତ ଯୋଡ଼ୋ ଯାତ୍ରା’ ଏବେ ଶେଷ ପର୍ଯ୍ୟାୟରେ କାଶ୍ମୀରରେ ପହଞ୍ଚିଛି। ଏହି ଅବସରରେ ରବିବାର ଦିନ ୧୨ଟାରେ ଲାଲ୍ ଚୌକଠାରେ ତ୍ରିରଙ୍ଗା ଉତ୍ତୋଳନ କରି ରାହୁଲ ଶେଷ ଚରଣରେ ଯାତ୍ରାର ପୁନରାରମ୍ଭ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାଜ୍ୟସଭା ଏମ୍ପି ରଣଦୀପ ସିଂହ ସୂର୍ଯ୍ୟେୱାଲା ମଧ୍ୟ ଉପସ୍ଥିତ ଥିଲେ। ଲାଲ୍ ଚୌକରୁ ଏହି ଯାତ୍ରା ବଲିବର୍ଦ୍ଦ ଅଞ୍ଚଳର ନେହରୁ ପାର୍କକୁ ଯାଇଥିଲା। ରାହୁଲ ତାଙ୍କ ଧଳା ଟି-ସାର୍ଟ ପିନ୍ଧି ୧୦ଟା ୪୫ରେ ଭଉଣୀ ପ୍ରିୟଙ୍କା ସହ ଯାତ୍ରାରେ ଯୋଗ ଦେଇଥିଲେ। ଅଳ୍ପ ସମୟ ଭିତରେ ଶହଶହ ସମର୍ଥକ ହାତରେ ତ୍ରିରଙ୍ଗା ଓ ଦଳୀୟ ପତାକା ଧରି ସେମାନଙ୍କ ସହ ଯୋଗ ଦେଇଥିଲେ। ଆଜି ହେଉଛି ଯାତ୍ରାର ଅନ୍ତିମ ପଦଯାତ୍ରାର ଦିନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଲାଲ୍ ଚୌକକୁ ସିଲ କରି ଦିଆଯାଇଥିଲା। ସହର ସାରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ଆଜି ହେଉଛି ଯାତ୍ରାର ଉଦ୍ଯାପନ ଦିବସ। ଏସ୍କେ ଷ୍ଟାଡିୟମ୍ରେ ରାହୁଲ ଏକ ପବ୍ଲିକ୍ଲି ରାଲିରେ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ୧୨ଟି ଦଳ ଯୋଗ ଦେବେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଲାଲ ଚୌକରେ ପତାକା ଉତ୍ତୋଳନ ପରେ ରାହୁଲ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି। ଯଦି ସାହସ ଅଛି ତା’ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁରୁ ଲାଲ ଚୌକ ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ଦେଖାନ୍ତୁ ବୋଲି ରାହୁଲ କହିଛନ୍ତି।