ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ 

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍। ଲୁଟିଏନ୍ସ ଦିଲ୍ଲୀରେ ଥିବା ସରକାରୀ ବଙ୍ଗଳାକୁ ଏପ୍ରିଲ ୨୨ ତାରିଖ ସୁଧା ଖାଲି କରିବାକୁ ସୋମବାର ଲୋକସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ନୋଟିସ୍ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ରାହୁଲ ୨୦୦୪ରେ ସାଂସଦ ଭାବେ ନିର୍ବାଚନ ଜିତିବା ପରେ ତାଙ୍କୁ ଦିଲ୍ଲୀର ୧୨ ତୁଗଲକ୍ ଲେନ୍‌ରେ ସରକାର ବଙ୍ଗଳା ଦିଆଯାଇଥିଲା। ହେଲେ ଗତ ସପ୍ତାହରେ ଲୋକସଭା ସଚିବାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି ତାଙ୍କୁ ଅଯୋଗ୍ୟ ଘୋଷଣା କରାଗଲା। ମାର୍ଚ୍ଚ ୨୩ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଛି।

ନିୟମ କହୁଛି ଯେ ଅଯୋଗ୍ୟ ଘୋଷଣା ହେବାର ମାସକ ଭିତରେ ରାହୁଲଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ଏଥିପାଇଁ ସରକାରୀ ବଙ୍ଗଳା ପରିଚନାଳ ପାଇଁ ଠିକା ନେଇଥିବା ସଂସ୍ଥା ରାହୁଲଙ୍କୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। ଏହା ପୂର୍ବରୁ ରାହୁଲଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ୨୦୨୦ରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା। ତାଙ୍କ ସୁରକ୍ଷା କମାଇ ଦେବା ପରେ ସରକାରୀ ବଙ୍ଗଳାରେ ରହିବାର ଅଧିକାର ମଧ୍ୟ ହରାଇଥିଲେ।