ଆଜି ସୁରତ କୋର୍ଟରେ ଦ୍ବାରସ୍ଥ ହେବେ ରାହୁଲ : ଦଣ୍ଡାଦେଶକୁ ଦେବେ ଚ୍ୟାଲେଞ୍ଚ

ନୂଆଦିଲ୍ଲୀ,୩/୦୪: ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷର ଜେଲ ଦଣ୍ଡାଦେଶ ହେବାପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ତେବେ ରାହୁଲ ସୋମବାର ଏହି ସଜାକୁ ଚ୍ୟାଲେଞ୍ଜ କରି ଗୁଜରାଟର ସୁରତ କୋର୍ଟକୁ ଯାଇପାରନ୍ତି। ଏଠାରେ ସେ ତାଙ୍କ ଦଣ୍ଡାଦେଶ ବିପକ୍ଷରେ ଏମ ଆବେଦନ କରିବେ। ତାଙ୍କ ଆବେଦନରେ ରାହୁଲ ଗାନ୍ଧୀ ‘ମୋଦୀ ସାଙ୍ଗିଆ’ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିବାକୁ କହିବେ।

ଏହାପୂର୍ବରୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ଏହି ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଥିଲେ, ଯାହାଫଳରେ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ସମୟ ମିଳିବ। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ, ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ୫୨ ବର୍ଷିୟ ରାହୁଲଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।