ପକେଟମାରଙ୍କ ପ୍ରତି ସାବଧାନ ହୁଅନ୍ତୁ ଦେଶବାସୀ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ ,୨/୧୧: ପେଟ୍ରୋଲିୟମ ଦରବୃଦ୍ଧି ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଅନେକ ସହରରେ ଲିଟର ପିଛା ପେଟ୍ରୋଲ ଦର ଏବେ ୧୨୦ ଟଙ୍କାରେ ପହଞ୍ଚିଛି। ତୈଳ କମ୍ପାନୀଙ୍କ ଦୈନିକ ମୂଲ୍ୟ ସୁଧାର ଏବେ ଦେଶରେ ତ୍ରାହିମାମ ପରିସ୍ଥିତି ସୃଷ୍ଟି କରିଛି। ଏପରି ମୂଲ୍ୟବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଏକ ଟ୍ୱିଟ୍‌ ପୋଷ୍ଟ କରିଛନ୍ତି। ଏଥିରେ ରାହୁଲ ଦେଶବାସୀଙ୍କୁ ‘ପେକଟମାରଙ୍କ ପ୍ରତି ସାବଧାନ’ ରହିବାକୁ ପରାମର୍ଶ ଦେଇଛନ୍ତି।

ବିଶ୍ୱବଜାରରେ ଅଶୋଧିତ ତୈଳ ଦର ଏବେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏଣୁ ଦେଶରେ ଲଗାତାର ଷଷ୍ଠ ଦିନ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ତୈଳ କମ୍ପାନୀମାନେ ଲିଟରପିଛା ପୁଣି ୩୫ ପଇସା ଲେଖାଏଁ ବଢାଇଛନ୍ତି। ଗତମାସ ଅର୍ଥାତ ଅକ୍ଟୋବର ୩୧ ଦିନରୁ ତୈଳ କମ୍ପାନୀମାନେ ୨୪ ଦିନ ଦର ସଂଶୋଧିତ କରିଥିଲେ। ଫଳରେ ମାସକରେ ପେଟ୍ରୋଲ ୭ ଟଙ୍କା ୭୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୮ଟଙ୍କା ୩୦ ପଇସା ବଢିଥିଲା। ଏଥିରେ ନଭେମ୍ବର ମାସ ଆରମ୍ଭ ଦିନରୁ ହିଁ କମ୍ପାନୀମାନେ ଦର ବୃଦ୍ଧି କରିବା ଲୋକଙ୍କୁ ଆତଙ୍କିତ କରିଛି।

ସୋମବାର ପେଟ୍ରୋଲିୟମ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଏକକାଳୀନ ୨୬୬ ଟଙ୍କା ବଢାଇ ଦେଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମାଜର ଏବେ ସବୁ ସ୍ତରକୁ ପ୍ରଭାବିତ କରିଛି। ତୈଳ ମୂଲ୍ୟ ବୃଦ୍ଧି ସହ ଦେଶରେ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଦର ମଧ୍ୟ ବଢିଛି। ଆଗକୁ ଦେଶରେ ଦୀପାବଳି, ଏଥିରେ ତୈଳ କମ୍ପାନୀଙ୍କ ମୂଲ୍ୟ ବୃଦ୍ଧି ଲୋକଙ୍କ ଉତ୍ସାହ ପାଣି କରିଦେଇଛି।