କନ୍ୟାକୁମାରୀ: ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେପି ଏବଂ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଭା, ରାଲି କରାଯାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଉଛି। ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ପହଞ୍ଚି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି।
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନରେ ତାମିଲ ଲୋକମାନଙ୍କ ପ୍ରତି ସମ୍ମାନ ନାହିଁ। ଆମେ ମୋଦୀ ଏବଂ ଆରଏସଏସକୁ ତାମିଲ ସଂସ୍କୃତିକୁ ଅପମାନ କରିବାକୁ ଦେବୁନାହିଁ। କେନ୍ଦ୍ର ସରକାର ତାମିଲ ସଂସ୍କୃତିର ସମ୍ମାନ କରେନାହିଁ।
ତାଙ୍କ ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି, ଯିଏ ରାଜ୍ୟର ପ୍ରତିନିଧିତ୍ଵ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଯାହା କୁହନ୍ତି ସେ ତାହା କରନ୍ତି। ରାହୁଲ ଆହୁରି କହିଥିଲେ, ମୋଦୀ କୁହନ୍ତି, ଗୋଟିଏ ଦେଶ, ଗୋଟିଏ ସଂସ୍କୃତି, ଗୋଟିଏ ଇତିହାସ, ତେବେ ମୁଁ ପଚାରିବାକୁ ଚାହୁଁଛି ଯେ, ତାମିଲ ସଂସ୍କୃତି କ’ଣ ଭାରତୀୟ ସଂସ୍କୃତି ନୁହେଁ ? ଜଣେ ଭାରତୀୟ ହିସାବରେ ଆମ ଦାୟିତ୍ଵ ହେଉଛି ଯେ ଆମେ ମୋଦୀ ଏବଂ ଆରଏସଏସକୁ ତାମିଲ ଲୋକଙ୍କ ଅପମାନ କରିବାକୁ ଦେବୁନାହିଁ।