ରେଳଯାତ୍ରୀ ୱେବସାଇଟରୁ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍; ୟୁପିଆଇ ଏବଂ ଡେବିଟ୍ କାର୍ଡ ତଥ୍ୟ ସାର୍ବଜନୀନ ‌!

ନୂଆଦିଲ୍ଲୀ, ୨୫/୮ : ଭାରତରେ ରେଳ ଟିକେଟ୍‌ ବୁକିଂ ଏବଂ ଅନ୍ୟ କୌଣସି ଟ୍ରେନ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଅନେକ ୱେବସାଇଟ୍‌ ବ୍ୟବହାର କରାଯାଇଥାଏ। ଏଥିସହିତ ଟିକେଟ୍‌ ବୁକିଂ ପାଇଁ ଅନେକ ଥାର୍ଡ ପାର୍ଟି ୱେବସାଇଟ୍‌ ରହିଛି । ଯେଉଁଥିରେ ଟିକେଟ ବୁକ୍‌ କରାଯାଇଥାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ରେଳଯାତ୍ରୀ ୱେବସାଇଟ୍‌ । ଏହି ୱେବସାଇଟରୁ ପ୍ରାୟ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍‌ ହୋଇଯାଇଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ରେଳଯାତ୍ରୀ ୱେବସାଇଟ୍‌ ଭୁଲବଶତଃ ୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରିଦେଇଛି । ଏଥିରେ ଡେବିଟ୍‌ କାର୍ଡ ଡିଟେଲ୍‌ସ, ୟୁପିଆଇ ଡାଟା ଓ ଅନେକ ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି। ଏପରିକି ଯାତ୍ରୀଙ୍କ ନାମ, ଫୋନ୍‌ ନମ୍ବର, ଇମେଲ ଆଇଡି, ଡେବିଟ୍‌ କାର୍ଡ ନମ୍ବର୍ସ ଆଦି ସାମିଲ ରହିଛି।

ରେଳଯାତ୍ରୀ ତରଫରୁ ଡାଟା ଲିକ୍‌ ଖବରକୁ ଖଣ୍ଡନ କରାଯାଇଛି । କିନ୍ତୁ କମ୍ପାନି ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛି। ଏପଟେ ୭ ଲକ୍ଷ ୟୁଜରଙ୍କ ଡାଟା ଲିକ୍‌ ଖବର ମିଛ ବୋଲି କମ୍ପାନି ସଫେଇ ଦେଇଛି।

ନେକ୍ସଟ୍‌ ୱେବର ଏକ ରିପୋର୍ଟ ଅନୁସାରେ ରେଳଯାତ୍ରୀ ୱେବସାଇଟ୍‌ ୟୁଜର୍ସଙ୍କ ତଥ୍ୟ ଏପରି ଏକ ସର୍ଭରରେ ରଖିଥିଲା ଯାହା ସୁରକ୍ଷିତ ନଥିଲା। ଏହି ଡାଟା ଲିକ୍‌ ଘଟଣାକୁ ନେଇ ସୁରକ୍ଷା ଏଜେନ୍‌ସି କହିଛି ଯେ, ରେଳ ଯାତ୍ରୀଙ୍କ ଡାଟା ଯେଉଁ ସର୍ଭରରେ ରଖାଯାଇଥିଲା ତାହା ଏନକ୍ରିପଟେଡ୍‌ ମଧ୍ୟ ନଥିଲା । ଏଥିରେ ପାସୱାର୍ଡ ମଧ୍ୟ ଦିଆଯାଇ ନଥିଲା । ଏପରିକି ଆଇପି ଆଡ୍ରେସ ଜରିଆରେ ଯେକୌଣସି ସାଧାରଣ ବ୍ୟକ୍ତି ସୁବିଧାରେ ଡାଟା ଆକସେସ୍‌ କରିପାରିବ।