କାହାଛତ୍ରଛାୟାରେ ଉଦ୍ଧତ ଜିଆରପି କନଷ୍ଟେବଳ: ଆକ୍ସନନେବାପାଇଁ ଆଇଜି ଓ ଏସପି କୁନ୍ଥଉଛନ୍ତି

ଭୁବନେଶ୍ୱର : ରାଜ୍ୟ ସରକାରୀ ରେଳବାଇ ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ଅସାଧୁ ପୋଲିସ କନଷ୍ଟେବଳଙ୍କ ଦାଦାଗିରି ଏବେ ଚରମସୀମାରେ ପହଁଚିଛି। ସମ୍ପୃକ୍ତ ମହିଳା କନଷ୍ଟେବଳ ଜଣକ ହେଲେ ସନ୍ଧ୍ୟାରାଣୀ ବେହେରା। ଦୀର୍ଘବର୍ଷ ହେଲା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅଭ୍ୟାସଗତ ଭାବେ ଯାବତୀୟ ବିଶୃଙ୍ଖଳିତ କାର୍ଯ୍ୟ କରିବାସହ ଉତ୍ପାତ ମଚାଇ ଆସୁଛନ୍ତି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ ଏସବୁ ବାବଦରେ ବିଭାଗୀୟ ଉଚ୍ଚକର୍ତୃପକ୍ଷ ସବୁଜାଣିଶୁଣି ମଧ୍ୟତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁନାହାନ୍ତି। ଫଳରେ ଦିନକୁଦିନ ତାଙ୍କର ଔଦ୍ଧତ୍ୟ ବଢ଼ିବଢ଼ି ଚାଲିଛି। ତେବେ ବଡ ବିସ୍ମୟର କଥାଯେ, ବିଭାଗୀୟ କର୍ତୃପକ୍ଷ ଉଚିତ ଦଣ୍ଡବିଧାନ କରିବା ପରିବର୍ତ୍ତେ ଓଲଟି ଦରଦ ଦେଖାଇ ତାଙ୍କୁ ସୁହାଇଲାଭଳି ବେଶ ସୁବିଧାସୁଯୋଗ ଯୋଗାଇ ଦେଇଆସୁଛନ୍ତି। ଏପରିକି କିଛିଦିନ ତଳେ ସେ କଟକ ସ୍ଥିତ ବିଭାଗୀୟ ଏସପିଙ୍କ କାର୍ଯ୍ୟାଳୟରେ ନିଜର ବଦଳି ଆଦେଶ ବାତିଲ ଜିଦରେ ପ୍ରତିବାଦ ସ୍ୱରୂପ ହଂଗାମା ସୃଷ୍ଟିକରି ଧାରଣା ଦେଇଥିଲେ। ଏପରିକି ସେଠାରେ ସେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରିବାରୁ ତାଙ୍କୁ ଆୟତ୍ତ କରିବାକୁ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୋଲିସର ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଫଳରେ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଥିଲା। ମାତ୍ର ଦୁଇମାସ ନପୂରୁଣୁ ବିଭାଗୀୟ କର୍ତୃପକ୍ଷ କେଉଁ ଅଦୃଶ୍ୟ ମହାଶକ୍ତିର ଚାପରେ ନିଲମ୍ବନମୁକ୍ତକରି ତାଙ୍କୁ ପସନ୍ଦମୁତାବକ ଅବସ୍ଥାପିତ କଲେ ସେ ନେଇ ଘୋର ଆଶର୍ଯ୍ୟ ପ୍ରକଟ କରାଯାଇଛି। ତେଣୁ ଏବେସେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଓ ଧରାକୁ ସରା ମଣୁଛନ୍ତି। ଏପରିକି ତାଙ୍କ ବିରୋଧରେ ମାଳମାଳ ସଂଗୀନ ଅଭିଯୋଗ ରହିଥିବାସହ ବହୁ ସଂଖ୍ୟାରେ ବିଭାଗୀୟ ପ୍ରୋସିଡ଼ିଙ୍ଗରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଏଥିସହ ଆହୁରିମଧ୍ୟ ଅନେକ ପ୍ରୋସିଡ଼ିଙ୍ଗ ତଦନ୍ତାଧିନ ରହିଛି। ଏହାବାଦ ତାଙ୍କ ନାମରେ ଭୁବନେଶ୍ୱର ଜିଆରପି ଓ ଲକ୍ଷ୍ମୀସାଗର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତେବେସବୁଠାରୁ ବିଡମ୍ବନାର କଥାଯେ ଏସବୁ ବେଶ ଭଲଭାବେ ଜାଣିଶୁଣି ମଧ୍ୟ ବିଭାଗୀୟ ଆଇଜି ଓ ଏସପି ତାଙ୍କ ବିରୋଧରେ ଉଚିତ କାରବାଇ କରିବାକୁ କୁନ୍ଥାଉଛନ୍ତି କାହିଁକି ତାହା ବୁଝାପଡୁନି। ଏପରିକି ବିଭାଗର ବହୁ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଏହି କନଷ୍ଟେବଳ ବିଭିନ୍ନ ସମୟରେ ମନଗଢା ଆରୋପଲଗାଇ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ମାନ ରୁଜୁକରି ହଟଚମଟ ସୃଷ୍ଟିକରିବାରେ ଧୁରନ୍ଧର ଓ ମାହିର। ଏପରିଭାବେ ଶୃଙ୍ଖଳା ସମ୍ପର୍ଣ୍ଣ ପୋଲିସ ବିଭାଗରେ ସେ ବର୍ଷବର୍ଷ ଧରି କଳାକାରନାମା ଚଳାଇ ଆସୁଛନ୍ତି। ସେଥିମଧ୍ୟରୁ ପ୍ରାୟ ସବୁମାମଲା ତଦନ୍ତପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଏହାଛଡା ଏପରି ମିଛ ମାମଲାମାନ କରି ସେ କ୍ଷତିପୂରଣ ବାବଦରେ ବେଆଇନ ଭାବେ ସରକାରଙ୍କଠାରୁ ଲକ୍ଷଲକ୍ଷ ଟଙ୍କାମଧ୍ୟ ହଡପକରିନେଇଥିବା କୁହାଯାଉଛି।

ଆହୁରିମଧ୍ୟ କିଛିଦିନ ତଳେ ଏନେଇ ତାଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ସେ ସଂକ୍ରାନ୍ତରେ ସେଠାରୁ ଉକ୍ତ ମାମଲା ରାଜ୍ୟ ମାନବାଧିକାର କମିଶନଙ୍କୁ ସ୍ଥାନାନ୍ତର କରାଯାଇଛି.ଯାହା ଏବେ ସେଠାରେ ବିଚାରାଧୀନ ରହିଛି.ଦୀର୍ଘଦିନଧରି ଏପରିସବୁ ନିନ୍ଦନୀୟ କାର୍ଯ୍ୟକରି ସେ ସାରା ପୋଲିସ ବିଭାଗକୁ କଳଙ୍କିତ ଓ ବଦନାମ କରିଆସୁଥିଲେହେଁ ତାଙ୍କର କେହିକିଛି ଉଖାଡ଼ିପାରିବେନି ବୋଲି ସେ ସାଧାରଣରେ ବେଶ ବାହାସ୍ଫୋଟ ମାରିଚାଲିଛନ୍ତି। ତେବେ ଏସମ୍ପର୍କରେ ରେଳବାଇ ଏସପି, ଆଇଜି, ଏଡିଜି ମୁଖ୍ୟାଳୟ, ଆଇଜି ପର୍ଶନେଲ, ପୋଲିସ ଡିଜି, ଗୃହସଚିବ, ମୁଖ୍ୟଶାସନ ସଚିବ, ଗୃହ ରାଜ୍ୟମନ୍ତ୍ରୀ ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇ ଆସୁଥିଲେହେଁ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି। ଏଭଳି ସ୍ଥିତିରେ ରେଳବାଇ ଆଇଜି ତଥା ବରିଷ୍ଠ ଆଇପିଏସ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଓ ଏସପି ଅଶୋକ ବିଶ୍ୱାଳଂକ ପ୍ରତିକ୍ରିୟା ଲୋଡିବାରେ ଉଭୟେ ଅଭିଯୁକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହି ଅସଲ ପ୍ରସଙ୍ଗକୁ ଏଡ଼ାଇଦେଇଥିଲେ।