ସେପ୍ଟେମ୍ବର ପହିଲାରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପାଠପଢ଼ା ଆରମ୍ଭ

ଜୟପୁର,୧୨/୮: ସେପ୍ଟେମ୍ବର ପହିଲାରୁ ରାଜସ୍ଥାନରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ୍‌ ଖୋଲିବ ଏବଂ ପାଠ ପଢ଼ା ଆରମ୍ଭ ହେବ। ଏନେଇ ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ସ୍କୁଲ୍‌ରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଶିକ୍ଷାଦାନ ଦିଆଯିବ । ଏହା ବ୍ୟତୀତ ଶିକ୍ଷକ ଏବଂ ସହାୟକ କର୍ମଚାରୀ ୧୪ ଦିନ ପୂର୍ବରୁ ଅତିକମ୍‌ରେ ଟିକାର ଗୋଟିଏ ପାନ ନେବା ଅନିବାର୍ଯ୍ୟ । ଚଳିତବର୍ଷ କରୋନା ଭୂତାଣୁର ଦ୍ବିତୀୟ ଲହର ସମୟରେ ଗେହଲଟ ସରକାର ସମସ୍ତ ସ୍କୁଲ୍‌ ବନ୍ଦ କରିବାକୁ ଘୋଷଣା କରିଥିଲେ ।

ଗତ କିଛି ଦିନ ହେଲା ରାଜ୍ୟରେ ସ୍କୁଲ୍‌ ଖୋଲିବାକୁ ନେଇ ମନ୍ଥନ ଆରମ୍ଭ ହୋଇଥିଲା। ଏନେଇ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇଥିଲା। କମିଟି ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପରେ ଏନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ସେପଟେ ଅଗଷ୍ଟରେ କଲେଜ୍‌ ଏବଂ ବିଶ୍ବବିଦ୍ୟାଳୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଅଫଲାଇନ୍‌ରେ ପାଠ ପଢ଼ା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।