ଭୁଶୁଡ଼ିଲା ସ୍କୁଲ ଛାତ : ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ,୨୫/୦୭: ରାଜସ୍ଥାନର ଝାଲାବାଡ଼ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି । ଲଗାଣ ବର୍ଷାରେ ଏକ ସରକାରୀ ସ୍କୁଲ ଛାତ ଭୁଶୁଡ଼ି ପଡିଛି । ଫଳରେ ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ୩୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଝାଲାବାଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଝାଲାବାଡ଼ ଜିଲ୍ଲାର ମନୋହର ଥାନା ବିଧାନସଭା ନିର୍ବାଚନମଣ୍ଡଳୀର ମନପାସଣ୍ଡ ଗାଁରେ ଅବସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠାର ଛାତ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି। ସେହି ସମୟରେ ପିଲାମାନେ ସ୍କୁଲରେ ପାଠପଢ଼ା ପାଇଁ ପିଲାମାନେ ଉପସ୍ଥିତ ଥିଲେ । କୋଠାର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ି ପଡ଼ିବା ଯୋଗୁଁ ୧୨ ରୁ ଉର୍ଦ୍ଧ୍ବ ପିଲା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଥିଲେ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସେପଟେ ଏହି ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଫୋନ୍ ଯୋଗେ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।