ମମତା ବାନାର୍ଜୀଙ୍କୁ ପୁଣି ଝଟକା, ରାଜୀବ ବାନାର୍ଜୀଙ୍କ ସହିତ ତୃଣମୂଳ କଂଗ୍ରେସର ୫ ବରିଷ୍ଠ ନେତା ବିଜେପିରେ ସାମିଲ

ନୂଆଦିଲ୍ଲୀ, ୩୧/୧ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରୁ ଲଗାତାର ଇସ୍ତଫା ଦେଉଛନ୍ତି ମନ୍ତ୍ରୀ ଓ ବିଧାୟକ । ଏହିକ୍ରମରେ ଗତକାଲି ଦିଲ୍ଲୀ ଯାଇଥିବା ତୃଣମୂଳ କଂଗ୍ରେସର ୫ ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅମିତ ଶାହାଙ୍କ ନେତୃତ୍ୱରେ ଏମାନେ ବିଜେପିରେ ସାମିଲ ହୋଇଛନ୍ତି । ତୃଣମୂଳ ଛାଡି ବିଜେପିରେ ସାମିଲ ହୋଇଥିବା ନେତାମାନେ ହେଲେ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବିଧାୟିକା ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳୀ ଡାଲମିଆ, ବିଧାୟକ ପ୍ରବୀର ଘୋଷାଲ, ହାଓଡ଼ା ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତୀ ଓ ଅଭିନେତା ରୁଦ୍ରାନିଲ ଘୋଷ । ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ଯୋଗଦେଇଥିଲେ ।

ବିଜେପିରେ ସାମିଲ ହେବା ପରେ ୫ ଜଣ ନେତା କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଅନ୍ୟାୟ ଓ ଅତ୍ୟାଚାର ବଢ଼ିଚାଲିଛି । ଲୋକେ ଟିଏମସି ଶାସନରେ ଅସନ୍ତୁଷ୍ଟ ଅଛନ୍ତି । ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପି କାମ କରୁଛି । ସୁନାର ବାଂଲା ଗଢ଼ିବାକୁ ବିଜେପି ସଂକଳ୍ପ ରଖିଛି ।

ସୂଚନାଯୋଗ୍ୟ, ଏହି ୫ ଜଣ ନେତା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ବିଜେପିରେ ସାମିଲ ହେବା ନେଇ ପୂର୍ବରୁ ଶୁଣାଯାଉଥିଲା । ତେବେ ଦିଲ୍ଲୀର ଇସ୍ରାଏଲ ଦୂତାବାସ ବୋମା ବିସ୍ଫୋରଣ ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଥିଲେ। ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ପରେ ଏହି ୫ ଜଣ ନେତା ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି ।