ନୂଆଦିଲ୍ଲୀ, ୧୦/୦୮ : ଅପରେସନ୍ ସିନ୍ଦୂରକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ଆମେ କାହା ସହ ବିବାଦ କରୁନାହୁଁ, ଯଦି କେହି କରେ ଆମେ ଛାଡ଼ୁନାହୁଁ ବୋଲି ରାଜନାଥ କହିଛନ୍ତି । ଆମେ ଧର୍ମ ପଚାରି ମାରୁନାହୁଁ, କର୍ମ ପଚାରି ମାରୁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେଉଛି । ଭାରତ ବିଶ୍ବରେ ଶାନ୍ତି ଚାହୁଁଛି, କିନ୍ତୁ ଆମ ସହ ବିଶୃଙ୍ଖଳା କଲେ ଛାଡ଼ିବୁ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କଲେ । ଭାରତ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଲା । ପହଲଗାମରେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଗଲା, କିନ୍ତୁ ଆମେ ସେମାନଙ୍କ ଧର୍ମ ପଚାରି ହତ୍ୟା କରୁନାହୁଁ। ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନନେଇ ସେ କହିଛନ୍ତି ଯେ, କିଛି ଲୋକ ଭାରତର ବିକାଶକୁ ପସନ୍ଦ କରନ୍ତି ନାହିଁ । କିଛି ଲୋକ ଚାହାଁନ୍ତି ଯେ, ଭାରତର ଲୋକଙ୍କ ହାତରେ ତିଆରି ଜିନିଷ ମହଙ୍ଗା ହେଉ । ବିଶ୍ୱର କୌଣସି ଶକ୍ତି ଭାରତକୁ ଏକ ବଡ଼ ଅର୍ଥନୀତି ହେବାରୁ ରୋକିପାରିବ ନାହିଁ । ଭାରତ ଆଜି ପର୍ଯ୍ୟନ୍ତ ସମସ୍ତଙ୍କର କଲ୍ୟାଣ ଚାହୁଁଛି । ବର୍ତ୍ତମାନ ଭାରତର ପ୍ରତିରକ୍ଷା ରପ୍ତାନି ବାର୍ଷିକ ପ୍ରାୟ ୨୪୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହା ଏକ ବଡ଼ ରେକର୍ଡ । ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ସରକାର ଗଠନ ହୋଇଥିଲା । ସେତେବେଳେ ଆମେ ନିଷ୍ପତ୍ତି ନେଇଥିଲୁ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦୃଢ଼ତାର ସହ ଆଗକୁ ବଢ଼ୁଛି । ଭାରତର ଆର୍ଥିକ ପ୍ରଗତିରେ ପ୍ରତିରକ୍ଷା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ଷେତ୍ର ଏବେ କେବଳ ଭାରତର ସୁରକ୍ଷାକୁ ମଜଭୁତ କରୁନାହିଁ ବରଂ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛି ।