ନୂଆଦିଲ୍ଲୀ,୧୨ /୨: ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ହେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁଙ୍କୁ କଂଗ୍ରେସ ପତ୍ର ଲେଖିଛି। ଗୁଲାମ ନବି ଆଜାଦ୍ ବିଦାୟ ନେବା ପରେ ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି । ବିରୋଧୀଦଳ ନେତା ନିମନ୍ତେ ରାଜ୍ୟସଭାର ତିନିଜଣ ସମ୍ଭାବ୍ୟ ନେତା ଥିଲେ – ଆନନ୍ଦ ଶର୍ମା, ଦିଗ୍ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ।
୭୮ ବର୍ଷିୟ କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ। ପୂର୍ବ ଏବଂ ଚଳିତ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାର ୧୦% ଜନାଦେଶ ପାଇ ନ ଥିବାରୁ କଂଗ୍ରେସ ନିମ୍ନ ସଦନରେ ବିରୋଧୀ ଦଳ ନେତା ପଦବୀ ପାଇବାରୁ ବଞ୍ଚିତ ହୋଇଛି।
ପୂର୍ବରୁ କ୍ରମାଗତ ୯ଥର ବିଧାନସଭା ଆସନରେ ବିଜୟୀ ହୋଇଥିବା ଖଡ଼ଗେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍ବର୍ଗା ଆସନରୁ ଉମେଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ତାଙ୍କୁ କଂଗ୍ରେସର ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଥିଲା। ଜୁନ୍ ୨୦୨୦ରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।