ଜେଡିୟୁର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ରାମଚନ୍ଦ୍ର ପ୍ରସାଦ ସିଂହ

ପାଟନା : ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ବିହାରର ରାଜଧାନୀ ପାଟନାରେ ରବିବାର ସଂଯୁକ୍ତ ଜନତା ଦଳ(ଜେଡିୟୁ) ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପୂର୍ବତନ ଆଇଏଏସ ଏବଂ ରାଜ୍ୟସଭା ସଦସ୍ୟ ଆରସିପି ସିଂହଙ୍କୁ ପ୍ରଦାନ କରିଛନ୍ତି। ୨୦୧୬ରେ ଶରଦ ଯାଦବ ଦଳ ଛାଡିବା ପରେ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ।

ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି, ନୀତୀଶ କୁମାର ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏହି ପଦ ପାଇଁ ଆରସିପି ସିଂହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଆରସିପି ସିଂହ ଆସନ୍ତା ତିନି ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନୀତୀଶ କୁମାରଙ୍କ ନିଷ୍ପତ୍ତି ପରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି।