ନୂଆଦିଲ୍ଲୀ,୨୯ /୪: ଭାରତରେ କରୋନା ସଂକଟକୁ ଦେଖି ସହାୟତାର ହାତ ବଢାଇଛି ରୁଷିଆ ଓ ଆମେରିକା । ଆଜି ରୁଷିଆ ଦୁଇଟି ବିମାନରେ କରୋନା ବିରୋଧୀ ଲଢେଇରେ ସହାୟତା କରିବାକୁ ଅକ୍ସିଜେନ, ଭେଂଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ଉପକରଣ ପଠାଇଛି । ରୁଷିଆରୁ ଆସିଥିବା ଦୁଇଟି ବିମାନ ନୂଆ ଦିଲ୍ଲୀରେ ପହଂଚି ସାରିଛି । ସୂଚନା ଅନୁସାରେ ଦୁଇଟି ବିମାନରେ ରହିଛି ଅକ୍ସିଜେନ କନସେନଟ୍ରେଟର – ୨୦, ଭେଟିଂଲେଟର – ୭୫, ବେଡ ସାଇଡ ମନିଟର – ୧୫୦ ଓ କରୋନା ଚିକିତ୍ସା ସଂପର୍କିତ ଔଷଧକୁ ମିଶାଇ ୨୨ ମେଟ୍ରିକ ଟନ୍ ସାମଗ୍ରୀ ପଠାଇଛି ରୁଷିଆ । ଏହି ସାମଗ୍ରୀକୁ ପର୍ଯ୍ୟାୟକ୍ରମେ ଓ ଆବଶ୍ୟକତା ଭିତରେ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟକୁ ପଠାଯିବ ।
ଆମେରିକା କରୋନା ଭୂତାଣୁରୁ ଭାରତକୁ ଉଦ୍ଧାର କରିବା ପାଇଁ ମଧ୍ୟ ବଢାଇଛି ସହାୟତାର ହାତ । ୟୁଏସ ସି-୧୫ ଏୟାରକ୍ରାଫ୍ଟରେ କୋଭିଡ ମୁକାବିଲା ପାଇଁ ଚିକିତ୍ସା ସେବା ଉପରକରଣ ପଠାଇଛନ୍ତି ବାଇଡେନ ପ୍ରଶାସନ । ଆମେରିକାରୁ ଆସିଥିବା ବିମାନରେ ରହିଛି – ଅକ୍ସିଜେନ କନସେନଟ୍ରେଟର -୧, ୭୦୦, ଅକ୍ସିଜେନ ସିଲିଣ୍ଡର – ୧,୧୦୦,ଅକ୍ସିଜେନ ରେଗୁଲେଟର, ଋାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟିଂ କିଟ -୧ କୋଟି, ଏନ ୯୫ ମାସ୍କ – ୧.୫ କୋଟି, ରେମେଡିସିଭିର ଇଞ୍ଜେକସନ – ୨୦, ୦୦୦ ଓ ଚିକିତ୍ସା ସେବା ପାଇଁ ୧୦କୋଟି ଟଙ୍କା ମୂଲ୍ୟରେ କରୋନା ଚିକିତ୍ସା ସମ୍ପର୍କିତ ସାମଗ୍ରୀ ପଠାଇବା ସହ ଆଗକୁ ମଧ୍ୟ ଭାରତ ସହ କାନ୍ଧରେ କାନ୍ଧ ମିଳାଇ କରୋନା ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛି ଆମେରିକା ।