କେବଳ ପୁରୀରେ ହେବ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରାର ଆୟୋଜନ ହୋଇପାରିବ ନାହିଁ। ରାଜ୍ୟର କେନ୍ଦ୍ରାପଡ଼ା, ନୀଳଗିରି, ବାରିପଦା ଭଳି ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଚଳିତବର୍ଷ ପୁରୀ ବ୍ୟତୀତ ରାଜ୍ୟ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ କି ନାହିଁ? ସୁପ୍ରିମ‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମଣା, ଜଷ୍ଟିସ ଏ.ଏସ୍‌.ବୋପାନ୍ନା ଓ ଜଷ୍ଟିସ ହୃଷୀକେଶ ରାୟଙ୍କ ଖଣ୍ଡପୀଠରେ ଆଜି ଏହା ଉପରେ ବିସ୍ତୃତ ଶୁଣାଣି ହୋଇଥିଲା। ଏ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି କହିଥିଲେ, ‘ପୂର୍ବରୁ ଓଡ଼ିଶା ସରକାର କଟକଣା ମଧ୍ୟରେ ପୁରୀରେ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଆମେ ତାଙ୍କର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ । ଆମକୁ ବହୁତ ଦୁଃଖ ଲାଗୁଛି ଯେ ଆମେ ଆପଣମାନଙ୍କୁ ସାହାଯ୍ୟ କରିପାରୁନୁ। ମୁଁ ବି ଭଗବାନଙ୍କ ଦର୍ଶନ କରିବାକୁ ଚାହେଁ। ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପୁରୀ ବ୍ୟତୀତ ଅନ୍ୟତ୍ର ରଥଯାତ୍ରାକୁ ଅନୁମତି ଦେଇପାରିବୁ ନାହିଁ। ଯଦି ରଥଯାତ୍ରାର ଅନୁମତି ଦିଆଯାଏ, ତା’ହେଲେ ଭକ୍ତମାନେ ଅଧିକ ମାତ୍ରାରେ ପ୍ରଭାବିତ ହେବେ।’ ଆବେଦନକାରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ତୁ‌ମେ ଯଦି ପ୍ରାର୍ଥନା କରିବାକୁ ଚାହୁଁଛ, ଘରୁ ମଧ୍ୟ କରିପାରିବ’।

ପ୍ରଧାନ ବିଚାରପତି ନିଜର ଉଦାହରଣ ଦେଇ କହିଥିଲେ, ସେ ବି ଜଣେ ଜଗନ୍ନାଥଙ୍କ ଭକ୍ତ। ପ୍ରତ୍ୟେକ ବର୍ଷ ପୁରୀ ଯାଉଥିଲେ। ସେ ପୁରୀ ଯିବାକୁ ଚାହୁଁଥିଲେ ମଧ୍ୟ ଦେଢ଼ବର୍ଷ ହେଲା ଯାଇପାରୁ ନାହାନ୍ତି। ବର୍ତ୍ତମାନ ପୁରୀ ଯିବାର ବି ସମୟ ନୁ‌େହିଁ। ‘ବର୍ତ୍ତମାନ ସ୍ଥିତି ଏମିତି ଅଛି ମୋତେ ମଧ୍ୟ ଦୂରତା ସହ ପ୍ରାର୍ଥନା କରିବାକୁ ପଡ଼ିବ। ଦେଶର ଜନସ୍ବାସ୍ଥ୍ୟର ସ୍ଥିତିକୁ ଦେଖି ମୁଁ ଘରେ ପ୍ରାର୍ଥନା କରିବା ପାଇଁ ନିଷ୍ପତ୍ତି ନେଇଛି,।’

ସଲିସିଟର୍‌ ଜେନରାଲ ତୁଷାର ମେହେଟ୍ଟା ପରାମର୍ଶ ଦେଇଥିଲେ ଯେ ଯେଉଁ କେତେକ ସ୍ଥାନରେ ଶତାବ୍ଦୀ ଶତାବ୍ଦୀ ଧରି ରଥଯାତ୍ରା ଚାଲିଆସୁଛି ସେଠାରେ କମ୍‌ ଲୋକଙ୍କୁ ନେଇ ରୀତିନୀତି ପାଳନ ପାଇଁ ଅନୁମତି ଦିଆଯାଇପାରିବ। ଏହାଦ୍ବାରା ଲୋକମାନଙ୍କ ଆସ୍ଥା ଓ ବିଶ୍ବାସ ବଜାୟ ରହିବା ସହିତ ସେମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷିତ ରହିପାରିବ। ସୀମିତ ସଂଖ୍ୟା ଓ କଟକଣା ସହିତ ଅନୁମତି ଦେବା ଉପରେ ସେ ଗୁରୁ୍ତ୍ବରୋପ କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟର ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା କରୋନା କାଳରେ ସାରା ରାଜ୍ୟରେ ରଥଯାତ୍ରାର ଆୟୋଜନ କରାଯିବାକୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକର ତୀବ୍ର ବିରୋଧ କରିଥିଲେ। ପୁରୀରେ ରଥଯାତ୍ରା ଆୟୋଜନକୁ ନେଇ ଜୁନ୍‌ ୧୦ ତାରିଖରେ ରାଜ୍ୟ ସରକାରଙ୍କ ଆଦେଶ ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରିବା ସହିତ ସର୍ତ୍ତମୂଳକ ଅନୁମତି ଦିଆଯାଇଥିବା କହିଥିଲେ। ଶୁଣାଣି ସମୟରେ ବାରିପଦା ଜଗନ୍ନାଥ ମନ୍ଦିର ପକ୍ଷରୁ ଆଇନଜୀବୀ ଏ.କେ.ଶ୍ରୀବାସ୍ତବ ଏବଂ କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ପାଇଁ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ଶେଷ‌ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ କୋଭିଡ୍‌ ବ୍ୟାପିବା ଆଶଙ୍କାରେ କେବଳ ପୁରୀରେ ରଥଯାତ୍ରାର ଆୟୋଜନ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରେ କୋର୍ଟ ସହମତ ଅଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୩ ତାରିଖରେ ଓଡ଼ିଶାର ନୀଳଗିରି,ବାରିପଦା ଓ କେନ୍ଦ୍ରାପଡ଼ାରେ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ବିଭିନ୍ନ ସଂସ୍ଥା, ମନ୍ଦିରର ସେବକ ଓ ଅନ୍ୟମାନଙ୍କ ଦ୍ବାରା ରାଜ୍ୟର ସମସ୍ତ ସ୍ଥାନରେ ରଥଯାତ୍ରାର ଆୟୋଜନ ଅନୁମତି ଲ‌ାଗି ସୁପ୍ରିମକୋର୍ଟରେ ତିନୋଟି ଏସ୍‌ଏଲ୍‌ପି ଏବଂ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲ‌ା। ସୁପ୍ରିମକୋର୍ଟ ଆଜି ସମସ୍ତ ଆବେଦନଗୁଡିକୁ ଶୁଣାଣି କରି ଖାରଜ କରିଦେଇଛନ୍ତି।