କଲକତା,୩/୭: କରୋନାକୁ ନିପାତ କରିବ ସୋରିଷ ତେଲ । ପଶ୍ଚିମବଙ୍ଗର ସିଲିଗୁଡ଼ି ପୁଲିସ କମିଶନରେଟ ପକ୍ଷରୁ ସମସ୍ତ ପୁଲିସ କର୍ମଚାରୀଙ୍କ ନିମନ୍ତେ ଜାରି ହୋଇଛି ସୋରିଷ ତେଲ ବ୍ୟବହାର ନିର୍ଦେଶନାମା । କେବଳ ସେତିକି ନୁହେଁ, ପୁଲିସ କ୍ୟାଣ୍ଟିନରେ ସମସ୍ତ ଖାଦ୍ୟ ସୋରିଷ ତେଲରେ ପ୍ରସ୍ତୁତ କରାଯାଉଛି ଏବଂ ଆଳୁ ଭର୍ତାରେ କଞ୍ଚା ସୋରିଷତେଲ ବ୍ୟବହାର ନିମନ୍ତେ ନିର୍ଦେଶ ଦିଆଯାଇଛି । କମିଶନରେଟ ପୁଲିସ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକୁ ଆସିବା ପୂର୍ବରୁ ନାକର ଦୁଇ ପୁଡ଼ାର ଭିତର ପାର୍ଶ୍ବରେ କଞ୍ଚା ସୋରିଷ ତେଲ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିଲିଗୁଡ଼ିର କୌଣସି ପୁଲିସ କର୍ମଚାରୀ ଏଯାଏ କରୋନା ସଂକ୍ରମିତ ହୋଇନାହାନ୍ତି ।
ଶିଲିଗୁଡ଼ି ପୁଲିସର ଜଣେ ବଡ଼ ଅଧିକାରୀ କରୋନା ବିରୋଧ ଲଢ଼େଇରେ ସୋରିଷ ତେଲକୁ ବଡ଼ ଅସ୍ତ୍ର ବୋଲି କହିଛନ୍ତି । ଦୈନିକ ବ୍ୟବହାରରେ ସୋରିଷ ତେଲକୁ ପ୍ରାଧାନ୍ୟ ଦେବାକୁ ନିର୍ଦେଶ ଦିଆଯାଇଥିବା ଉଲ୍ଲେଖ କରି ଗରମ ଭାତରେ କଞ୍ଚା ସୋରିଷ ତେଲ ମିଶାଇ ଖାଇବାକୁ, ଆଳୁ ଭର୍ତା ଓ ସାଲାଡ଼ରେ ସୋରିଷ ତେଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ।