ତୈଳ ଦର ବୃଦ୍ଧି ନେଇ ଏହି ସବୁ ରାଜ୍ୟଗୁଡ଼ିକ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସମୀକ୍ଷା ବୈଠକ କରିବା ବେଳେ ତୈଳ ଦର ବୃଦ୍ଧି ବିଷୟ ଉଠାଇଛନ୍ତି। ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ରର ଦୋଷ ନ ଦେଇ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ କମାଇବାକୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଗତବର୍ଷ ଇନ୍ଧନ ମୂଲ୍ୟରେ ଉତ୍ପାଦ ଶୁଳ୍କ କମାଇଥିଲେ। ତେଣୁ ରାଜ୍ୟର ବି ଦାୟିତ୍ୱ ଯେ ସେମାନେ ବି ଏପରି କରିବା ଉଚିତ। କେନ୍ଦ୍ର ସରକାର ଉତ୍ପାଦଶୁଳ୍କ କମାଇଥିବା ସତ୍ତ୍ୱେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା,ଆନ୍ଧ୍ର ପ୍ରଦେଶ,କେରଳ,ତାମିଲନାଡୁ ଓ ଝାରଖଣ୍ଡ ରାଜ୍ୟମାନେ ପେଟ୍ରୋଲ ଓ ଡିଜେଲ୍ ଉପରେ କୌଣସି କର କାଟି ନଥିଲେ। ଏହା ଲୋକମାନଙ୍କ ପାଇଁ ଅନ୍ୟାୟ ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି “ଏହା ଗୋଟେ ପ୍ରକାର ସେହି ରାଜ୍ୟର ଜନତାମାନଙ୍କ ପାଇଁ ଅନ୍ୟାୟ କରାଯାଉଥିବା ବେଳେ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଏଥିପାଇଁ କ୍ଷତି ସହିବାକୁ ପଡ଼ୁଛି। ମୁଁ କାହାର ଆଲୋଚନା କରୁନାହିଁ, କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ,କେରଳ, ଝାରଖଣ୍ଡ,ତାମିଲନାଡୁକୁ ମୁଁ ଅନୁରୋଧ କରୁଛି ଆପଣମାନେ ଭ୍ୟାଟ୍ କମ୍ କରନ୍ତୁ ଓ ଲୋକଙ୍କୁ ଏହାର ଲାଭ ଦିଅନ୍ତୁ। “

ଅନ୍ୟପଟେ ରାଜ୍ୟଗୁଡ଼ିକ ଟ୍ୟାକ୍ସ କାଟ ନ କରିବାରୁ ପଡ଼ୋଶୀ ରାଜ୍ୟଗୁଡ଼ିକୁ କିପରି କ୍ଷତି ହେଉଛି ତାହା ବି ବର୍ଣ୍ଣନା କରିଥିଲେ ମୋଦୀ। ଯେଉଁ ରାଜ୍ୟଗୁଡ଼ିକ ଟ୍ୟାକ୍ସ କାଟ୍ କରିଛନ୍ତି ତାଙ୍କୁ ରାଜସ୍ୱ ହାନୀ ହେଉଛି। ଯଦି କର୍ଣ୍ଣାଟକ ଟ୍ୟାକ୍ସ କାଟ ନ କରିଥାନ୍ତା ତେବେ ତାକୁ ୬ ମାସରେ ୫ ହଜାର କୋଟି ରାଜସ୍ୱ ମିଳିଥାନ୍ତା। ଯଦି ଗୁଜୁରାଟ ଟ୍ୟାକ୍ସ କମ୍ କରିନଥାନ୍ତା ତେବେ ତାକୁ ବି ସାଢ଼େ ଚାରି ହଜାର କୋଟିର ରାଜସ୍ୱ ମିଳିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।