ଭୁବନେଶ୍ୱର , ୨୪/୦୯ : ଆଜି ସଂଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବ । ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୩ ଜିଲ୍ଲାକୁ ନେଇ ରେଡ୍ ଆଲର୍ଟ। ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ସତର୍କତା ଜାରି। ଆଗାମୀ ଦୁଇ ଦିନ ପାଇଁ ବଡ଼ ଧରଣର ବର୍ଷା ସତର୍କତା ଜାରି କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ଓ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିବ। କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ‘ଅରେଞ୍ଜ ଆଲର୍ଟ’ ଦିଆଯାଇଛି। ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦ ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ପାଗରେ ଉନ୍ନତି ଆସିବ, ମାତ୍ର ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିବ। କେବଳ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ଆଲର୍ଟ ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।