ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁ ସେନାରେ ଆଜିଠାରୁ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇଛି। ନିଯୁକ୍ତି ସମ୍ପର୍କିତ ମାନଦଣ୍ଡ ବିଷୟରେ ଆବେଦନକାରୀ ବାୟୁସେନାର ୱେବସାଇଟ୍ indianairforce.nic.in ରେ ଯାଇ ବିଜ୍ଞପ୍ତିରୁ ସମସ୍ତ ସୂଚନା ପାଇ ପାରିବେ। ଆଜିଠାରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅନ୍ଲାଇନ୍ ପରୀକ୍ଷା ଠିକ୍ ମାସେ ପରେ ଅର୍ଥାତ୍ ଜୁଲାଇ ୨୪ରେ ଆୟୋଜିତ ହେବ। ଚଳିତ ବର୍ଷ ଡିସେମ୍ବରରୁ ହିଁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ର ଟ୍ରେନିଂ ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟ ଯେ ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ବିରୋଧ ମଧ୍ୟରେ ୧୯ ଜୁନ୍ରେ ବାୟୁ ସେନାର ଏହି ନୂଆ ଯୋଜନା ବିଷୟରେ ସମସ୍ତ ସୂଚନା ସେୟାର କରାଯାଇଥିଲା।
ଏମିତି କରନ୍ତୁ ଆବେଦନ:
ଅଗ୍ନିବୀର ବାୟୁ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ ଜରୁରୀ। agnipathvayu.cdac.in କୁ ଯାଇ ପ୍ରାର୍ଥୀ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀ ନିଜ ବେସିକ୍ ଡିଟେଲ୍ସ ସହ ରେଜିଷ୍ଟ୍ରେସନ୍ କରିପାରିବେ। ତା’ ପରେ ହିଁ ଅନ୍ଲାଇନ୍ ଫର୍ମ ପୂରଣ କରିବେ। ଫର୍ମ ପୂରଣ କରିବା ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।
ଯୋଗ୍ୟତା:
ପ୍ରାର୍ଥୀ ଦ୍ୱାଦଶ କିମ୍ବା ସମକକ୍ଷ ପରୀକ୍ଷାରେ ଗଣିତ, ଫିଜିକ୍ସ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହ ପାସ୍ କରିଥିବା ଆବଶ୍ୟକ କିମ୍ବା ୩ ବର୍ଷୀୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ କିମ୍ବା ୨ ବର୍ଷୀୟ ଭୋକେସନାଲ କୋର୍ସ ପାସ୍ କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ।
ବୟସ:
ପ୍ରାର୍ଥୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ଓ ୨୩ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।
ବେତନ:
ପ୍ରତିବର୍ଷ ଦରମା ଓ ଭତ୍ତା ଏମିତି ମିଳିବ।
ପ୍ରଥମ ବର୍ଷ ୩୦,୦୦୦ ଟଙ୍କା ଦରମା ଓ ଭତ୍ତା
ଦ୍ୱିତୀୟ ବର୍ଷ ୩୩,୦୦୦ ଟଙ୍କା ଦରମା ଓ ଭତ୍ତା
ତୃତୀୟ ବର୍ଷ ୩୬,୫୦୦ ଟଙ୍କା ଦରମା ଓ ଭତ୍ତା
ଚତୁର୍ଥ ବର୍ଷ ୪୦,୦୦୦ ଟଙ୍କା ଦରମା ଓ ଭତ୍ତା
ଦରମାର ୩୦ ପ୍ରତିଶତ କଟା ଯାଇ ସେବା ନିଧିରେ ଜମା କରାଯିବ। ୪ ବର୍ଷରେ ଅଗ୍ନିବୀର ମୋଟ୍ ୧୦.୪ ଲକ୍ଷର ନିଧି ଜମା କରିବେ। ସୁଧ ସହ ଏହା ୧୧.୭୧ ଲକ୍ଷ ହେବ। ଏହି ନିଧି ଆୟକର ମୁକ୍ତ ହେବ। ୪ ବର୍ଷର ସର୍ଭିସ ପରେ ଅଗ୍ନିବୀରଙ୍କୁ ଏହି ଟଙ୍କା ମିଳିବ। ଏ ଅବସରରେ ଅଗ୍ନିବୀରଙ୍କୁ ପ୍ରତିବର୍ଷ ୩୦ ଦିନ ଛୁଟି ମଧ୍ୟ ମିଳିବ।