ପୁନେ, ୧/୧୨ : ଯଶସ୍ବିନୀ ମହିଳା ବ୍ରିଗେଡର ଅଧ୍ୟକ୍ଷ ଏବଂ ରାଜନୈତିକ ଦଳ ସହ କାମ କରୁଥିବା ରେଖା ଭାଉସାହେବ ଜରେ ପାଟିଲଙ୍କ ସୋମବାର ହତ୍ୟା କରି ଦିଆଯାଇଛି। ଅହମଦ ନଗର ପୁଣେ ହାଇଓ୍ବେରେ ଅଜଣା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅହମଦ ନଗର ପୋଲିସ୍ ଏହି ସୂଚନା ଦେଇଛି।
ପୋଲିସର କହିବା ମୁତାବିକ,ଆକ୍ରମଣ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ରେଖା ଜରେ ନିଜ କାରରେ ଅହମଦ ନଗର ଆସୁଥିଲେ, ସେତିକିବେଳେ ହାଇଓ୍ବେରେ ଶିରୁର ଗାଁ ନିକଟରେ ବାଇକ୍ ଚାଳକ ତାଙ୍କ କାର୍କୁ ଧକ୍କା ଦେଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କାରଣରୁ ବାଇକ୍ ଚାଳକ ଧାରୁଆ ଅସ୍ତ୍ରରେ ରେଖା ଜରେଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ପୋଲିସର କହିବା ଅନୁସାରେ, ବାଇକ୍ ଚାଳକକୁ ଖୋଜିବା ପାଇଁ ୨ଟି ଟିମ୍ ଗଠନ କରାଯାଇଛି। ହାଇଓ୍ବେରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଳତାଡ଼ କରାଯାଉଛି। ଏବେ ସୁଦ୍ଧା ପୋଲିସ ହାତରେ ବଡ଼ ତଥ୍ୟ ଲାଗିନାହିଁ।