ପୋଷା କୁକୁରକୁ ଧରି ସଂସଦରେ ପହଞ୍ଚିଲେ ସାଂସଦ

ନୂଆଦିଲ୍ଲୀ, ୦୧/୧୨ : ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ପୋଷା କୁକୁରକୁ ସାଥୀରେ ଧରି ସଂସଦ ଭବନରେ ପହଞ୍ଚିଲେ ସାଂସଦ । ପ୍ରଥମ ଦିନରୁ ହିଁ ବିବାଦରେ ଫସିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ । ସେ ତାଙ୍କ ପୋଷା କୁକୁର ସହିତ ତାଙ୍କ କାରରେ ସଂସଦରେ ପହଞ୍ଚିଥିଲେ। ତାଙ୍କ ଆସିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ରାଜନୈତିକ ମହଲରେ ନିନ୍ଦା ଓ ସମାଲୋଚନା ଆରମ୍ଭ ହୋଇଛି । ବିଜେପି ଏହାକୁ ସଂସଦର ମର୍ଯ୍ୟାଦାର ଉଲ୍ଲଂଘନ ବୋଲି କହି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ସାଂସଦ ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଥିଲେ, ସେ ପାଲଟା ଜବାବ ଦେଇ କହିଥିଲେ ଯେ, ଏହି ଘଟଣାକୁ ଅଯଥାରେ ଚର୍ଚ୍ଚାକୁ ଅଣାଯାଉଛି । ସେ କହିଥିଲେ, “ଏଥିରେ କ’ଣ ସମସ୍ୟା ? ଯଦି ଏକ ମୂକ ପଶୁ ଭିତରକୁ ପଶିଯାଏ ତେବେ ବଡ଼ କଥା କ’ଣ ହେବ ? ଏହା ଛୋଟ, କାମୁଡ଼ିବା ଭଳି ନୁହେଁ । ସଂସଦ ଭିତରେ ଅନ୍ୟ ଲୋକ ଅଛନ୍ତି ଯେଉଁମାନେ କାମୁଡ଼ି ପାରିବେ।ତେବେ ତାଙ୍କର ଏବି ବକ୍ତବ୍ୟ ବିବାଦକୁ ଆହୁରି ଖୋରାକ ଯୋଗାଇଛି। ଏହି ସମୟରେ ବିଜେପି ସାଂସଦ ଜଗଦମ୍ବିକା ପାଲ ରେଣୁକା ଚୌଧୁରୀଙ୍କ ଉପରେ ତାଙ୍କ ବିଶେଷାଧିକାରର ଅପବ୍ୟବହାର କରିବାର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ, ସଂସଦ ଜାତୀୟ ନୀତି ଉପରେ ଗମ୍ଭୀର ଆଲୋଚନା ପାଇଁ ଏକ ମଞ୍ଚ, ଏବଂ ଏପରି କାର୍ଯ୍ୟ “ଅପମାନଜନକ” ଏବଂ ଏହା ସଂସଦର ମର୍ଯ୍ୟାଦା ବିରୁଦ୍ଧରେ। “ତାଙ୍କ କୁକୁର ସହିତ ସଂସଦରେ ପହଞ୍ଚିବା ଏବଂ ପରେ ଏପରି ମନ୍ତବ୍ୟ ଦେବା ଦେଶ ପାଇଁ ଲଜ୍ଜା ଆଣିଥାଏ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।” ସେ ଏହାକୁ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି ।