(Video) ହାଇଦ୍ରାବାଦରେ ପୋଲିସକର୍ମୀଙ୍କ କଲର ଧରିଲେ କଂଗ୍ରେସ ନେତ୍ରୀ: ଜାଣନ୍ତୁ କାହିଁକି ଆସିଲା ଏତେ ରାଗ

ହାଇଦ୍ରାବାଦ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପଚରାଉଚରା କରୁଛି । ଅନ୍ୟପଟେ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ସାରାଦେଶରେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହି ସମ୍ରରେ କଂଗ୍ରେସ ନେତା ରେଣୁକା ଚୌଧୁରୀ କ୍ରୋଧିତ ହୋଇ ଜଣେ ପୋଲିସ କର୍ମୀଙ୍କ କଲରକୁ ଧରି ପକାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ‘ଚାଲ ରାଜଭବନ’ର ଆହ୍ୱାନ ଦିଆଯାଇଥିଲା । ଏହି କ୍ରମରେ ଗୁରୁବାର ଦିନ ଶତାଧିକ କଂଗ୍ରେସ କର୍ମୀ ଓ ନେତା ତେଲେଙ୍ଗାନା ରାଜଭବନ ଆଡକୁ ବିରୋଧ ପ୍ରଦର୍ଶନ କରି ମାଡ଼ିଚାଲିଥିଲେ । ପୋଲିସ କର୍ମୀ ତାଙ୍କୁ ରୋକିବାରୁ ସେମାନେ ରାସ୍ତା ଉପରେ ଧାରଣା ଦେଇଥିଲେ ।

ପୋଲିସ କର୍ମୀ କଂଗ୍ରେସ ନେତାମାନଙ୍କୁ ହେପାଜତକୁ ନେବା ଆରମ୍ଭ କରିଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ଓ ପୋଲିସକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ରେଣୁକା ଚୌଧୁରୀ ଜଣେ ପୋଲିସକର୍ମୀଙ୍କ କଲର ଧରିପକାଇଥିଲେ, ଫଳରେ ପୁରୁଷ ପୋଲିସକର୍ମୀ ପଛକୁ ଘୁଞ୍ଚିଯାଇଥିଲେ । ସେଠାରେ ଥିବା ମହିଳା ପୋଲିସକର୍ମୀମାନେ ରେଣୁକାଙ୍କୁ ଧରିଥିଲେ ଓ ଭ୍ୟାନରେ ବସାଇଥିବା ଜଣାପଡିଛି । ଅନ୍ୟପଟେ ରେଣୁକାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।