କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ : କୁକୁରକୁ ମିଳିଲା ଆବାସିକ ପ୍ରମାଣପତ୍ର

ନୂଆଦିଲ୍ଲୀ, ୨୯/୦୭ : ବିହାରରୁ ଆସିଛି ଅଜବ ଘଟଣା । କୁକୁର ନାଁରେ ଆବାସିକ ପ୍ରମାଣପତ୍ର । ପ୍ରମାଣପତ୍ରରେ କୁକୁରର ବାପା ମା’ଙ୍କ ନାଁ ବି ଲେଖାଯାଇଛି । କୁକୁରର ନାଁ ରହିଛି ‘ଡଗ ବାବୁ’ । ଆଉ କୁକୁରର ବାପା ନା କୁତା ବାବୁ । ସେହିପରି ମା’ ନାରେ ରହିଛି କୁଟିଆ ଦେବୀ । କଥାଟା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏ କଥା ପୁରା ସତ । ଏକ କୁକୁରକୁ ମିଳିଛି ଆବାସିକ ପ୍ରମାଣପତ୍ର । ଏଭଳି ପ୍ରମାଣପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିହାରରେ ‘ଡଗ ବାବୁ’ ନାଁରେ ଜାରି ହୋଇଛି ଆବାସିକ ପ୍ରମାଣପତ୍ର । ଏଥିରେ ରାଜସ୍ବ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ରହିଛି । ଡଗ୍ ବାବୁର ବାପା ନାଁ କୁତା ବାବୁ ଓ ମାଆ ନାଁ କୁଟ୍ଟିଆ ଦେବୀ ବୋଲି ଉଲ୍ଲେଖ କରାଯାଇଛି । ଏହା ସହିତ ଡଗ ବାବୁର ଫଟୋ ମଧ୍ୟ ପ୍ରମାଣ ପତ୍ରରେ ରହିଛି । ଡଗ୍ ବାବୁର ଠିକଣା ହେଉଛି ମୋହଲ୍ଲା କୌଲିଚକ, ୱାର୍ଡ ନଂ-୧୫, ନଗର ପରିଷଦ ମସୌଢ଼ି । କୁକୁର ନାଁରେ ଆବାସିକ ସାର୍ଟିଫିକେଟ ଜାରି ହୋଇଛି, ଯାହା ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ବର ଅବହେଳାକୁ ଦର୍ଶାଉଛି । ଏହି ଆବାସିକ ପ୍ରମାଣପତ୍ର ସୋସିଆଲ ମିଡିଆରେ ଭାଇରାଲ ପରେ ଚର୍ଚ୍ଚା ଜୋର ଧରିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପ୍ରମାଣପତ୍ର ଦିଲ୍ଲୀର ଜଣେ ମହିଳାଙ୍କ ଆଧାର ଏବଂ ଅନ୍ୟ ଦସ୍ତାବିଜ ବ୍ୟବହାର କରି ତିଆରି ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପ୍ରମାଣପତ୍ରରେ ରାଜସ୍ୱ ଅଧିକାରୀ ମୁରାରୀ ଚୌହାନଙ୍କ ଡିଜିଟାଲ୍ ସ୍ୱାକ୍ଷର ମଧ୍ୟ ଅଛି । ସୂଚନା ଅନୁଯାୟୀ ରାଜସ୍ୱ ଅଧିକାରୀଙ୍କ ଡଙ୍ଗଲ୍ ବିନା ଡିଜିଟାଲ୍ ସ୍ୱାକ୍ଷର କରାଯାଇପାରିବ ନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ ଅଧିକାରୀଙ୍କ ଡଙ୍ଗଲ୍ କିଏ ଏବଂ କିପରି ବ୍ୟବହାର କରିଥିଲେ ? ଆବାସିକ ପ୍ରମାଣପତ୍ର ପାଇଁ ଲୋକମାନେ ଅଫିସରୁ ଅଫିସକୁ ଘୂରି ବୁଲୁଥିବାବେଳେ ଏକ କୁକୁର ନାଁରେ କେମିତି ପ୍ରମାଣପତ୍ର ଦିଆଗଲା । କର୍ମଚାରୀ ଜାଣିଶୁଣି ଏଭଳି କରିଛନ୍ତି ନା କାର୍ଯ୍ୟରେ ଅପାରଗତା ପାଇଁ ଏମିତି ହୋଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।