ନବବର୍ଷ ପୂର୍ବରୁ ଜିରୋନାଇଟ୍‍ ପାଇଁ କମିଶନରେଟ ପୋଲିସର ପକ୍ଷରୁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ୨୦୨୨ର ଶେଷ ଦିନରେ ଆଜି ଜିରୋନାଇଟ୍‍ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ଭିଡିଓ ବାର୍ତ୍ତାରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ଦୁଇ ବର୍ଷର ବ୍ୟବଧାନ ପରେ ଲୋକମାନେ ବିନା କୌଣସି କୋଭିଡ୍‍ କଟକଣାରେ ଜିରୋନାଇଟ୍‍ ପାଳନ କରିବେ । ଦ୍ରୁତଗତିରେ ଗାଡ଼ି ନ ଚଲାଇବା ପାଇଁ କମିଶନରଙ୍କ ପକ୍ଷରୁ କୁହାଯାଇଛି ।

ଗାଡ଼ିର ସର୍ବାଧିକ ବେଗ ୫୦ କିଲୋମିଟରରୁ ଅଧିକ ନ ରଖିବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ମଦ୍ୟପାନ କରି ଗାଡ଼ି ଚଲାଇଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଯଦି ରାତିରେ କୌଣସି ପାର୍ଟିରେ ଯୋଗଦାନ କରିବାର ଅଛି ତେବେ ସାଙ୍ଗରେ ଡ୍ରାଇଭରଙ୍କୁ ନେବା ପାଇଁ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱର ପୋଲିସ ପକ୍ଷରୁ ଆଜି ସନ୍ଧ୍ୟା ୭ଟା’ଠାରୁ ରାତି ୨ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚେକ୍ ପଏଣ୍ଟ ଏବଂ ବ୍ଲକିଂ ଅପରେସନ୍‍ କରାଯିବ ।

ଏହି ଅପରେସନ୍‍ ସହରର ୨୮ଟି ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ କରାଯିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୩ ପ୍ଲାଟୁନ ପୁଲିସ୍‍ ଫୋର୍ସକୁ ମୁତୟନ କରାଯିବ । ଏତଦ୍‍ବ୍ୟତୀତ ରାସ୍ତା ଉପରେ ଗାଡ଼ି ପାର୍କିଂ ନ କରିବା, ଗାଡ଼ିକୁ ତାଲା ପକାଇ ଉପଯୁକ୍ତ ପାର୍କିଂ ସ୍ଥଳରେ ରଖିବା ପାଇଁ କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

SBI_Festive_Digital Billboard