ଭୁବନେଶ୍ୱର, ୧୮/୦୧ : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା। ଏଣିକି ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା, ତେବେ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ପରିଚାଳନା କମିଟି ସରକାରଙ୍କୁ ଅନୁରୋଧ କରଛି। ଭକ୍ତନିବାସରେ ପାର୍କିଂ ପାଇଁ ୫୦୦ ଟଙ୍କା ବଦଳରେ ଏଣିକି ୨୪୦ ଟଙ୍କା ହେବ। ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ଆସନ୍ତାକାଲିଠୁ ଭକ୍ତନିବାସରେ ନୂଆ ପାର୍କିଂ ଫି ଲାଗୁ କରାଯିବ। ସେହିଭଳି ରତ୍ନଅଳଙ୍କାର ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକରେ ଅନୁମୋଦିତ ହୋଇଛି। ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ।