ଯୋଗୀ ଆଦିତ୍ୟ ନାଥଙ୍କୁ ଅବସରପ୍ରାପ୍ତ IAS ଓ IPS ଅଫିସରଙ୍କ ଖୋଲା ଚିଠି,ସରକାର ଓ ପ୍ରଶାସନ ଉପରେ ଲଗାଇଲେ ଗୁରୁତର ପ୍ରଶ୍ନ
ନୂଆଦିଲ୍ଲୀ, ୫/୧୦: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟରେ ବିଜେପି ନେତୃତ୍ୱଧୀନ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ସାଙ୍ଗକୁ ପୋଲିସ ଏବଂ ପ୍ରଶାସନ ଏବେ ପ୍ରଶ୍ନରେ ଘେରିଯାଇଛି। ସମ୍ପୂର୍ଣ୍ଣ ପ୍ରକରଣରେ ୟୁପି ପୋଲିସର ଅମାନବୀୟ ଚେହେରାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଏହିକ୍ରମରେ ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ରାଜ୍ୟରୁ ୯୨ ଜଣ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ ଅଫିସର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଯେଉଁଥିରେ ସେମାନେ ପୋଲିସ, ପ୍ରଶାସନ ସମେତ ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ପତ୍ରରେ ଅବସରପ୍ରାପ୍ତ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ‘ଆମେ ଭାବିଥିଲୁ ଏବେ ଆମ ବିବେକ ଓ ଆତ୍ମକୁ କେହି ଦୋହଲାଇ ପାରିବେନି। ହେଲେ ଏତିକି ବେଳେ ଆପଣଙ୍କ ପ୍ରଶାସନ ହାଥରସ କାଣ୍ଡରେ ଯେଉଁ କାର୍ଯ୍ୟାନୁଷ୍ଠାନ କରିଛି ତାହା ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ଘଟଣାକ୍ରମକୁ ଦେଖିଲେ ଆମ ଦେଶର ପ୍ରଶାସନ କେତେ ପର୍ଯ୍ୟନ୍ତ ନୃଶଂସ ଓ ପଙ୍କିଳତାରେ ଭରି ଯାଇଛି ତାହା ସ୍ପଷ୍ଟ ବାରିହୋଇପଡୁଛି ‘।