ନୂଆଦିଲ୍ଲୀ, ୩୦/୩ : ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ଶ୍ରେୟସ ଆୟରଙ୍କ ସ୍ଥାନରେ ଓ୍ଵିକେଟ୍ କିପର ଋଷଭ ପନ୍ତଙ୍କୁ ଚଳିତ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ଆୟର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଆହତ ହୋଇଥିଲେ। ଆୟରଙ୍କୁ କାନ୍ଧର ସର୍ଜରୀ କରିବାକୁ ପଡିବ। ଏହି କାରଣରୁ ତାଙ୍କୁ କ୍ରିକେଟ୍ରୁ ୪ ରୁ ୫ ମାସ ଦୂରରେ ରହିବାକୁ ପଡିବ।
ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅଧିନାୟକ ପାଇଁ ଅନେକ ଦିଗଜ ଖେଳାଳି ମଧ୍ୟ ଥିଲେ। ଏଥିରେ ଅଫ ସ୍ପିନର ଆର ଅଶ୍ଵିନ, ଆଜିଙ୍କ୍ୟ ରାହାଣେ, ଶିଖର ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥ୍ଙ୍କ ପରି ଖେଳାଳି ଥିଲେ। ମାତ୍ର ଦଳ ପ୍ରବନ୍ଧକ ପନ୍ତଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁ ଦାୟିତ୍ଵ ଏଥିପାଇଁ ମିଳିଛି, କାରଣ ଅଷ୍ଟ୍ରେଲିଆ ଗସ୍ତ ସହିତ ଇଂଲଣ୍ଡ ସିରିଜ୍ରେ ସେ ଦମଦାର ବ୍ୟାଟିଂ କରିବା ସହିତ ଓ୍ଵିକେଟ୍ ପଛରେ ଚମତ୍କାର କିପିଂ କରିଥିଲେ। ସେ ଅନେକ ଥର ନିଜ ବ୍ୟାଟିଂ ଦମରେ ଦଳକୁ ବିଜୟୀ କରାଇଛନ୍ତି।