ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଶେଷରେ ଇସ୍ତଫା ଦେଇଛନ୍ତି । ସେ ଆଗାମୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପର୍ଯ୍ୟନ୍ତ ପଦରେ ରହିବେ । ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି କି ମୁଁ ତାହା କରିପାରି ନାହିଁ ଯାହା ଆଧାରରେ ମୋତେ କଞ୍ଜରଭେଟିଭ୍ ପାର୍ଟି ଚୟନ କରିଥିଲା । ସେ ଆହୁରି କହିଛନ୍ତି କି ମୁଁ ଏଭଳି ସମୟରେ ଦେଶର ପ୍ରଧାନମନ୍ତ୍ରୀ ହେଲି ଯେତେବେଳେ କି ଦେଶ ବଡ଼ଧରଣର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ।
ତେବେ ଆସନ୍ତା ସପ୍ତାହ ମଧ୍ୟରେ ବ୍ରିଟେନ୍ ନୂଆ ପ୍ରଧାନମନ୍ତ୍ରୀ ପାଇବ ଓ ଏ ନେଇ ସମସ୍ତେ ସହମତି ଜଣାଇଛନ୍ତି । ଏଥିରୁ ସୁନିଶ୍ଚିତ ହେବ ଯେ ଆମେ ଆମର ବିତ୍ତୀୟ ଯୋଜନାକୁ ପୂରା କରିବାର ମାର୍ଗରେ ଚାଲିବୁ ଓ ନିଜ ଦେଶର ଆର୍ଥିକ ସ୍ଥିରତା ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଅଗ୍ରାଧିକାର ଦେବୁ । ମୁଁ ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବି ଯେ ପର୍ଯ୍ୟନ୍ତ ଉତ୍ତରାଧିକାରୀର ଚୟନ ନହୋଇଛି ବୋଲି ଲିଜ୍ ଟ୍ରସ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ମାତ୍ର ଗୋଟିଏ ଦିନ ପୂର୍ବରୁ ଲିଜ୍ ଟ୍ରସ୍ କହିଥିଲେ ଯେ ମୁଁ ଜଣେ ଯୋଦ୍ଧା ଓ ପ୍ରଧାନମନ୍ତ୍ରୀ ପଦବୀ ଛାଡ଼ିବି ନାହିଁ । ଟ୍ରସ୍ ମାତ୍ର ୪୫ଦିନ ପାଇଁ ପ୍ରଧାନମନ୍ତ୍ରୀ ରହିଛନ୍ତି । କୌଣସି ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ସବୁଠୁ ଛୋଟ ଅବଧିର କାର୍ଯ୍ୟକାଳ । ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ସମ୍ଭାଳିବାର ମାତ୍ର କେଇଟା ସପ୍ତାହ ପରେ ଦେଶର ଅର୍ଥବ୍ୟବସ୍ଥାର କୁପ୍ରଭାବ ଦେଖାଦେଇଥିଲା । ଏହାକୁ ନେଇ ଦଳରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ଗତ ୧ ସପ୍ତାହ ମଧ୍ୟରେ ଟ୍ରସ୍ ସରକାରଙ୍କ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ସୂଚନାଥାଉକି ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ଲିଜ୍ ଟ୍ରସ୍ ତାଙ୍କ ସ୍ଥାନ ନେଇଥିଲେ । ସେତେବେଳେ ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ରାଜନେତା ଋଷି ସୁନକ ଚେତାବନୀ ଦେଇଥିଲେ କି ଲିଜ୍ ଟ୍ରସ୍ ଆର୍ଥିକ ନୀତିରେ ବ୍ରିଟେନରେ ବହୁତ କ୍ଷତି ପହଞ୍ଚାଇବେ । କିନ୍ତୁ ପ୍ରଧାନମନ୍ତ୍ରୀ ପଦବୀରେ ବସିବା ପରେ ଲିଜ୍ ଟ୍ରସ୍ ଉକ୍ତି ଚେତାବନୀକୁ ସାମାନ୍ୟ ବି ଧ୍ୟାନ ଦେଇନଥିଲେ ।
ସୂଚନାଥାଉକି ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲିଜ୍ ଟ୍ରସ୍ଙ୍କୁ ମୋଟ ୮୧ହଜାର ୩୨୬ଖଣ୍ଡ ଭୋଟ୍ ମିଳିଥିଲା । ଋଷି ସୁନକ ଏହି ନିର୍ବାଚନରେ ୬୦ହଜାର ୩୯୯ ଖଣ୍ଡ ଭୋଟ୍ ପାଇଥିଲେ । କିନ୍ତୁ ବର୍ତ୍ତମାନ ମାତ୍ର ୪୫ଦିନର ପ୍ରଧାନମନ୍ତ୍ରୀ ହେବା ପରେ ନିଜର ଅପାରଗ ନେତୃତ୍ୱକୁ ନେଇ ନିଜ ଆଡ଼ୁ ଲିଜ୍ ଟ୍ରସ୍ ଇସ୍ତଫା ଦେଇଛନ୍ତି । ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଏବେ ସବୁଠି ଚର୍ଚ୍ଚାରେ । ଯଦି ସବୁକିଛି ଠିକ୍ ରହେ ତେବେ ସୁନକଙ୍କ ପାଇଁ ଏହା ଏକ ଗୋଲ୍ଡେନ୍ ଚାନ୍ସ କହିଲେ ଅତ୍ୟୁକ୍ତି ହେବନାହିଁଁ ।