ମୁମ୍ବାଇ,୮/୧୦: ଜେଲରୁ ମୁକୁଳିଛନ୍ତି ରିୟା ଚକ୍ରବର୍ତ୍ତୀ । ମାତ୍ର ଡ୍ରଗ୍ସ ମାମଲାରେ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀକୁ ଜାମିନ ମିଳି ନାହିଁ। ତେବେ ରିୟାଙ୍କୁ ଡ୍ରଗ୍ସ ଲିଙ୍କରେ ସେପ୍ଟେମ୍ବର ୮ରେ ଗିରଫ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ସେବେଠୁ ସେ ଭାୟଖଲା ଜେଲରେ ରହିଥିଲେ। ୨୮ ଦିନ ପର୍ଯ୍ୟନ୍ତ ଜେଲରେ କଏଦୀଙ୍କ ଭଳି ତାଙ୍କର ପ୍ରତ୍ୟେକ ଦିନ ଜେଲରେ କଟିଥିଲା। ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଏକ ସାକ୍ଷାତକାରରେ ଏ ବାବଦରେ ଖୁଲାସା କରିଛନ୍ତି।
ରିୟାଙ୍କ ଜାମିନରେ ଖୁସି ଥିବା ସତୀଶ ରିୟାଙ୍କୁ ଜେଲରେ ଭେଟିବାକୁ ଯାଉଥିଲେ। ଜେଲରେ ରିୟାଙ୍କୁ ଅବସାଦରେ ନ ଦେଖି ସେ ଖୁସି ହୋଇଥିଲେ । କାରଣ ରିୟା ଜେଲରେ କଏଦୀଙ୍କୁ ଯୋଗ ଶିଖାଉ ଥିଲେ। ସେ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ଯୋଗ ଟ୍ରେନିଂ ଦେଉ ଥିଲେ। କରୋନା ସଂକ୍ରମଣ ଯୋଗୁ ରିୟାଙ୍କୁ ଘର ଖାଦ୍ୟ ମଧ୍ୟ ମିଳି ନ ଥିଲା। କଏଦୀ ଖାଉଥିବା ସାଦାରଣ ଖାଦ୍ୟ ରିୟା ବି ଖାଉ ଥିଲେ।
ରିୟା ଜେଲରୁ ମୁକୁଳିବା ପରେ ସତୀଶ କହିଛନ୍ତି ନ୍ୟାୟର ଜିତ ହୋଇଛି। ରିୟାଙ୍କ ଗିରଫ ଆଇନ ଅନୁସାରେ ଠିକ୍ ନ ଥିଲା । ତିନି ତଦନ୍ତ ଏଜେନ୍ସି ସିବିଆଇ, ଏନସିବି ଓ ଇଡି ଯେଉଁଭଳି ଭାବେ ରିୟାଙ୍କୁ ପିଛା କରିଛନ୍ତି ସେହି ସବୁ ଏବେ ଶେଷ ହେବା ଦରକାର। ସୂଚନାଯୋଗ୍ୟ ରିୟାଙ୍କୁ ଜାମିନ ମିଳିବା ସହ ବମ୍ବେ ହାଇକୋର୍ଟ ରିୟାଙ୍କ ପାସପୋର୍ଟ ଏନସିବି ପାଖରେ ଜମା ରଖିବାକୁ କହିଛନ୍ତି। ରିୟାଙ୍କୁ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ମାସକୁ ଥରେ ଏନସିବି ଦପ୍ତରରେ ହାଜର ହେବାକୁ ପଡ଼ିବ।