ନୂଆଦିଲ୍ଲୀ, ୧୯/୧୨: ଆଫଗାନିସ୍ତାନ ସ୍ଥିତ ଆମେରିକାର ଏକ ପ୍ରମୁଖ ଏୟାରବେସ୍ରେ ରକେଟ୍ ମାଡ କରାଯାଇଛି। ଆଜି ସକାଳେ ପରଓ୍ଵାନ ପ୍ରଦେଶର ବଗ୍ରାମ ଏୟାରଫିଲ୍ଡ ଉପରେ ୫ଟି ରକେଟ୍ ମାଡ ହୋଇଥିବା ନାଟୋ ଏବଂ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଆକ୍ରମଣରେ କୌଣସି ମୃତାହତ ହୋଇନଥିବା ଜଣା ପଡିଛି।
ସୂତ୍ର ଅନୁଯାୟୀ, ଏକ ଗାଡ଼ିରେ ୧୨ଟି ରକେଟ୍ ରଖାଯାଇଥିବାବେଳେ ସେଥିରୁ ୫ଟି ରକେଟ୍ ଏୟାରବେସ୍କୁ ଲକ୍ଷ୍ୟ କରି ମାଡ଼ କରାଯାଇଥିଲା। ବାକି ୭ଟି ରକେଟ୍କୁ ପୋଲିସ ନିଷ୍କ୍ରିୟ କରିଛି। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଏଥିସହ ତାଲିବାନ ଏଥିରେ ସଂପୃକ୍ତି ନଥିବା ସ୍ପଷ୍ଟ କରିଛି।