ନୂଆଦିଲ୍ଲୀ,୯/୯: ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ ମହା ମୁକାବିଲା । ଉଦଘାଟନୀ ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଓ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍କେ) । ସବୁ ଟିମ୍ର ସମସ୍ତ ଖେଳାଳି ୟୁଏଇ ପହଞ୍ଚିସାରିଥିବା ବେଳେ ଅଭ୍ୟାସ ଜାରି ରଖିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍ ରୋହିତ ଶର୍ମା ଅଧିକ ସମୟ ଅଭ୍ୟାସ କରିବାରେ ବିତାଉଥିବା ଦେଖିବାକୁ ମିଳିଛି । ଆକ୍ସନ ମୁଡ୍ରେ ଅଛନ୍ତି ରୋହିତ । ଏମିତି ଲାଗୁଛି ଯେମିତି ପଞ୍ଚମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିଣିବ ମୁମ୍ବାଇ ଇଣ୍ଡିଆନ୍ସ ।
ଅଭ୍ୟାସ୍ ବେଳେ ଛକା ମାରି ଷ୍ଟାଡିୟମ୍ ପାର କଲେ ରୋହିତ । ବଲ୍ ସିଧା ଯାଇ ଏକ ଚଳନ୍ତା ବସ୍ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ବଲ୍ଟି ୯୫ ମିଟର ଦୂରରେ ପଡ଼ିଥିବା ଜଣାପଡ଼ିଛି । ଏମିତି ଏକ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଥିବା ଏହି ଭିଡିଓରେ ରୋହିତ ଏକ ବିଶାଳ ଛକା ମାରୁଥିବା ଦେଖିବାକୁ ମିଳିଛି ।
ନିକଟରେ ରୋହିତ ଶର୍ମାଙ୍କୁ ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଏହି ସମ୍ମାନ ହାସଲ କରିଥିଲେ ରୋହିତ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ଏମଏସ୍ ଧୋନି ଓ ବିରାଟ କୋହଲି ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଥିଲେ ।