ଆଇଆଇଏଫ୍‌ଏଲ୍ ଲୁଟ୍‌ର ପର୍ଦାଫାଶ : କର୍ମଚାରୀ ଥିଲା ମୁଖ୍ୟ ସୂତ୍ରଧର

କଟକ : କଟକର ନୟାସଡ଼କସ୍ଥିତ ଆଇଆଇଏଫଏଲ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣା ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍‌ ଘଟଣାରେ ସମସ୍ତ ମୋଟ୍ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇ କହିଛନ୍ତି ଯେ ଲୁଟ୍‌ ଘଟଣାରେ ମୁଖ୍ୟ ସୂତ୍ରଧର ଥିଲା ସେହି ଆଇଆଇଏଫ୍‌ଏଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ। ଏଥି ସହିତ ଏହି ଲୁଟ୍‌ରେ ତାକୁ ଅନ୍ୟ ଦୁଇ ଜଣ ସହାୟତା କରିଥିଲେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ ୨ କେଜି ସୁନା ସହ ଦୁଇଟି ବାଇକ୍‌ ଜବତ କରାଯାଇଛି। ​‌ତେବେ ତଦନ୍ତ ଜାରି ରହିଛି ଆଗକୁ ଆହୁରୀ ସୁନା ଏବଂ ଘଟଣାରେ ଆଉ କାହାର ସମ୍ପର୍କ ରହିଛି ତାହା ଜଣାପଡିବ ।

ଟ୍ବିନ୍‌ ସିଟି ପୁଲିସ କମିଶନର କହିଛନ୍ତି ଲୁଟ୍‌ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯେଉଁ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ସେଥିରେ ଜଣାପଡିଥିଲା ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ଏକରିକି ସିସିଟିଭି ଖରାପ ହେବା ସହ କମ୍ପାନିର ଆଲାରମ୍‌ ବ୍ୟବସ୍ଥା ମଧ୍ୟ ଅଚଳ ରହିଥିଲା। ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରେ ଏତେ ପରିମାଣରେ ସୁନା ଯଦି ରହିଥିଲା ତେବେ ଏଥିରେ ସୁନା ଲକ୍‌ରରେ ଡିଜିଟାଲ୍‌ ଲକ୍‌ ବ୍ୟବସ୍ଥା ନଥିଲା। ସେହି ସଂସ୍ଥାରେ କାର୍ଯ୍ୟ କରୁଥିବା ସିକ୍ୟୁରିଟ୍‌ ମଧ୍ୟ ଦୁଇ ଦିନ ହେବ ଛୁଟିରେ ଥିଲେ। ତେବେ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନି ସୁରକ୍ଷା ବ୍ୟବସ୍ଥା ବିଷୟରେ ନିଜ କର୍ମଚାରୀ ଅବଗତଥିବାରୁ ସେମାନେ ହିଁ ଲୁଟ୍‌ରେ ସମ୍ପୃକ୍ତି ଥାଇ ପାରନ୍ତି ବୋଲି ପ୍ରଥମରୁ ସନ୍ଦେହ କରିଥିଲା ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ ନଭେମ୍ବର ୨୦ ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । ୩୯ କିଲୋ ୫୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ନେଇ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଥିଲେ ଆଇଆଇଏଫ୍‌ଏଲ୍ କର୍ତ୍ତୃପକ୍ଷ । ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହୋଇଥିବା ସୂଚନା ମିଳିଥିଲା। ଲୁଟ୍‌ ଘଟିବା ପରେ କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।