ନୂଆଦିଲ୍ଲୀ: ସାରାଦେଶରେ ଦୀପାବଳି ପର୍ବକୁ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବାଣ ତିଆରି କରୁଥିବା କାରିଗରଙ୍କୁ ବି ଫୁରସତ ନାହିଁ । ଅନେକ ବ୍ୟକ୍ତି ଆଲୋକରେ ଘରକୁ ସଜାଇବା ପାଇଁ ଏବେଠୁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍ ଓ ବିଭିନ୍ନ ଉପକରଣ କିଣିବାରେ ଲାଗିଲେଣି । ବାଣ ଦୋକନ ଗୁଡିକ ଖୋଲିବା ସହ ଅନେକ ବ୍ୟକ୍ତି ବିଭିନ୍ନ ବାଣ କିଣି ଘରେ ସାଇତି ରଖିଲେଣି ଦୀପାବଳି ପାଳନ ପାଇଁ । କିନ୍ତୁ ଏସବୁ ଭିତରେ ଏକ ଖବର ଆସିଛି ଯାହାକୁ ଶୁଣି କିଛି ବ୍ୟକ୍ତି ନିରାଶ ହୋଇଛନ୍ତି ।
ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ଏପରି କି ବାଣ ଫୁଟାଉଥିବା ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡେ ବୋଲି କୁହାଯାଉଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗଣମାଧ୍ୟମକୁ ଏପରି କିଛି ସୂଚନା ଦେଇଛନ୍ତି । ଯିଏ ନିୟମ ଭାଙ୍ଗି ବାଣ ଫୁଟାଇବେ ସେମାନଙ୍କୁ ୨୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗୁ ହେବ ବୋଲି ସୂଚନା ମିଳିଛି ।
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ । ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ । ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ । ବର୍ତ୍ତମାନ ପାଇଁ ଏହି ପ୍ରତିବନ୍ଧକ ଯେପରି ପ୍ରଭାବୀ ରୂପେ କାମ କରି ପାରିବ, ଏଥିପାଇଁ ୪୦୮ ଟିମ୍ ଗଠନ କରାଯାଇଛି । ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ ଟିମ୍ ଗଠନ କରିଛି । ଆୟକର ବିଭାଗ ମଧ୍ୟ ୧୬୫ ଟିମ୍ ଗଠନ କରିଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିର ମଧ୍ୟ ୩୩ ଟିମ୍ ମୁତୟନ ରହିବେ ।