ଭୁବନେଶ୍ୱର,୨୩/୩ : ଘରୋଇ ସ୍କୁଲ ଗୁଡ଼ିକରେ ଶିକ୍ଷା ଅଧିକାର (ଆର୍ଟିଇ) ଆଇନ ପାରଦର୍ଶୀ ପୋର୍ଟାଲ ଆବଣ୍ଟନ ଅନୁଯାୟୀ ୨୫% ସଂରକ୍ଷଣ କୋଟାରେ ଛାତ୍ରଛାତ୍ରୀମାନେ ପାଠପଢ଼ୁଛନ୍ତି। କିନ୍ତୁ ସେମାନଙ୍କୁ ନିୟମ ମୁତାବକ ମାଗଣା ବହି, ପୋଷାକ ଓ ଅନ୍ୟାନ୍ୟ ଶୈକ୍ଷିକ ସାମଗ୍ରୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି। ଏହାର ପ୍ରତିବାଦରେ ରାଜ୍ୟ ଅଭିଭାବକ ମହାସଂଘ ପକ୍ଷରୁ ଅର୍ଥ ସଚିବଙ୍କ ଭୁବନେଶ୍ବର ସରକାରୀ ବାସଭବନ ସମ୍ମୁଖରେ ଆସନ୍ତା ୩୦ ତାରିଖରୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦିଆଯାଇଛି।
ଅଭିଭାବକ ମହାସଂଘର ଅଭିଯୋଗ ଅନୁସାରେ, ଓସେପା ପକ୍ଷରୁ ପ୍ରତି ପିଲାଙ୍କ ଖର୍ଚ୍ଚ ହିସାବ କରି ଏକ ପ୍ରସ୍ତାବ ବିଭାଗକୁ ଦେଇଥିଲା। ଏହି ରିପୋର୍ଟ ଭିତ୍ତିରେ ଏଥିନିମନ୍ତେ ଅବଶ୍ୟକ ଅର୍ଥ ବରାଦ କରିବା ନିମନ୍ତେ ରାଜ୍ୟ ଗଣଶିକ୍ଷା ବିଭାଗ ଅର୍ଥ ବିଭାଗକୁ ଚିଠିଲେଖି ଅନୁରୋଧ କରିଥିଲେ। ଏହା ମଧ୍ୟରେ ଛଅ ମାସରୁ ଅଧିକ ସମୟ ଧରି ଅର୍ଥ ବିଭାଗ ପାଖରେ ଫାଇଲ ପଡ଼ି ରହିଛି। ହଜାର ହଜାର ଛାତ୍ରଛାତ୍ରୀଙ୍କ ଅସୁବିଧା ସହ ଗରିବ ଅଭିଭାବକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ଅଟେ। । ମହାସଂଘ ବାରମ୍ବାର ନିବେଦନ ଓ ଦାବି ସତ୍ତ୍ୱେ ଅର୍ଥ ବିଭାଗ ଅନୁମୋଦନ ଦେଉନି। ଏହାର ପ୍ରତିବାଦରେ ଗଣତାନ୍ତ୍ରିକ ଉପାୟରେ ଅର୍ଥ ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ୟ୍ୟକାରୀ ସଭାପତି ପ୍ରସନ୍ନ ବିସୋଇ, ଆବାହିକା କଳ୍ପନା ସାହୁ ଓ ପଦ୍ମନାଭ ସାହୁ କହିଛନ୍ତି।