କୋଭିଡ ଟିକା ତିଆରିରେ ନିୟମ ଉଲଙ୍ଘନ : ଇସ୍ତଫା ଦେଲେ ଋଷର ଟପ୍ ଡାକ୍ତର

ମସ୍କୋ, ୧୪/୮ : ଋଷ କରୋନା ଟିକାକୁ ନେଇ ବିବାଦ ଥମିବାର ନାଁ ଧରୁନି | ଏବେ ଋଷର ଜଣେ ବରିଷ୍ଠ ଶ୍ୱାସ ରୋଗ ବିଶେଷଜ୍ଞ ଆଲେକ୍ସାଣ୍ଡର୍ କୁଶଲିନ୍ ଟିକା ତିଆରି ପ୍ରକ୍ରିୟାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି | ଡାକ୍ତର କୁଶଲିନ୍ କହିଛନ୍ତି ଯେ ଟିକା ତିଆରି କରିବାରେ ମେଡିକାଲ ଏଥିକ୍ସର ଉଲଙ୍ଘନ ହୋଇଛି | ରାଜନୈତିକ ଚାପ ଯୋଗୁଁ ପରୀକ୍ଷଣ ମଧ୍ୟ ଠିକ ଭାବେ ହୋଇନାହିଁ | ଡାକ୍ତର ଆଲେକ୍ସାଣ୍ଡର୍ କୁଶଲିନ୍ ଋଷର ଟପ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଏବଂ ଋଷ ଏଥିକ୍ସର ସଦସ୍ୟ ମଧ୍ୟ ଥିଲେ | ସେ କହିଛନ୍ତି ଋଷ ଟିକା ସ୍ପୁଟନିକ୍-ଭି ପାଇଁ ମଞ୍ଜୁରୀ ନିଆଯାଇନାହିଁ | ଏହି ଟିକା ସୁରକ୍ଷା ନେଇ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସେ କହିଛନ୍ତି |

ଡାକ୍ତର ଆଲେକ୍ସାଣ୍ଡର୍ କହିଛନ୍ତି ଏହି ପ୍ରକ୍ରିୟାରେ ମୁଖ୍ୟତ ଦୁଇ ଜଣ ଡାକ୍ତର ସାମିଲ ଅଛନ୍ତି ଯେଉଁମାନେ ସମସ୍ତ ନିୟମାବଳୀକୁ ଅଣଦେଖା କରି ଭ୍ୟାକସିନକୁ ମଞ୍ଜୁରୀ ଦେଇଛନ୍ତି | ଗାମାଲିଆ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦେଶକ ପ୍ରଫେସର ଆଲେକ୍ସଜାଣ୍ଡାର୍ ଗିନ୍ସବର୍ଗ ଏବଂ ଋଷ ସେନାର ବରିଷ୍ଠ ଭାଇରୋଲୋଜିଷ୍ଟ୍ ମେଡିକାଲ୍ କର୍ଣ୍ଣେଲ ପ୍ରଫେସର ସର୍ଗେଇ ବୋରିଶେଭିକଙ୍କ ଉପରେ ପୁଟିନ ସରକାରଙ୍କ ଚାପରେ ଭ୍ୟାକସିନକୁ ମଞ୍ଜୁରୀ ଦେବାର ଗମ୍ଭୀର ଆରୋପ ଲାଗିଛି | ଏହି ଦୁଇଜଣଙ୍କ ଟିମ ମିଶି ଟିକା ତିଆରି କରିଛନ୍ତି ଓ ମଞ୍ଜୁରୀ ଟିମରେ ମଧ୍ୟ ଦୁଇଜଣ ସାମିଲ ଥିଲେ |

ଡାକ୍ତର ଆଲେକ୍ସଜାଣ୍ଡାର୍ କହିଛନ୍ତି- ‘ମୁଁ କେବଳ ଏହି ସମସ୍ତ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ ଆପଣ ସମସ୍ତେ ଭ୍ୟାକସିନ ମଞ୍ଜୁରୀ ପାଇଁ ଋଷ ଫେଡେରେସନ୍ ବିଧାନସଭା ଏବଂ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟର ନିର୍ଦ୍ଦେଶାବଳୀ ଅନୁସରଣ କରିଛନ୍ତି କି ? ଯଦି କରିଛନ୍ତି ତାହେଲେ ପ୍ରମାଣ କରିବାକୁ କାହିଁକି ଭୟ କରୁଛନ୍ତି ? ଏହି କାମ ପୁରା ହୋଇନଥିଲା | ଏଥିରେ ଭ୍ୟାକସିନ ତିଆରି କରିବାର ନୈତିକତା ନୀତିକୁ ଅନୁସରଣ କରାଯାଇନାହିଁ | କୌଣସି ଔଷଧ ତିଆରି ପାଇଁ ନିୟମ ଉଲଙ୍ଘନ କରିବା ମୁଁ କେବେ ଦେଖିନଥିଲି | ମୁହଁ ନ ଖୋଲିବାକୁ ମୋତେ ଚାପ ପକାଯାଉଥିଲା | ଯେଉଁ ବୈଜ୍ଞାନିକମାନେ ଭ୍ୟାକସିନ ତିଆରି କରିଛନ୍ତି ସେମାନେ ମୋ ଉପରେ ଚାପ ପକାଉଥିଲେ |’