ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲା ଶିରୋମଣି ଅକାଳୀ ଦଳ

ନୂଆଦିଲ୍ଲୀ,୨/୭ : ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଏସଏଡି ମୁଖ୍ୟ ସୁଖବୀର ସିଂହ ବାଦଲଙ୍କୁ ଫୋନ କରି ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଲାଗି ନିବେଦନ କରିଥିଲେ। ନଡ୍ଡାଙ୍କ ନିବେଦନ ପରେ ଶୁକ୍ରବାର ଏସଏଡି ନିଜର ସମର୍ଥନ ସମ୍ପର୍କରେ ଘୋଷଣା କରିଛି । ଏସଡିଏ ଏନଡିଏର ଅନ୍ୟତମ ସହଯୋଗୀ ଦଳ ଥିବାବେଳେ ୨୦୨୦ ସେପ୍ଟେମ୍ବରରେ କୃଷି ଆଇନକୁ ବିରୋଧ କରି ଏନଡିଏରୁ ବାହାରି ଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ପୂର୍ବରୁ ଘୋଷଣା ହୋଇଥିଲେ ​ସେ ଏହା ଉପରେ ବିଚାର କରିଥାନ୍ତେ। ସେ କହିଛନ୍ତି ଯେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ।