ବିଧାନସଭା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କଲେ ପୁଲିସ୍‌ ଡିଜି ଅଭୟ 

ଭୁବନେଶ୍ବର,୧୭ /୨: ଆସନ୍ତାକାଲି ବିଧାନସଭା ଅଧିବେଶନ ଅବ୍ୟବହିତ ପୂର୍ବରୁ ବିଧାନସଭା ସଦନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରିଛନ୍ତି ପୁଲିସ୍‌ ଡିଜି ଅଭୟ । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ‌ହେବେ ବୋଲି ସୂଚନା ରହିଛି। ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାନସଭା ସମ୍ମୁଖରେ କିଛି ଲୋକ ଆତ୍ମାହୁତି ଉଦ୍ୟମ କରିଥିଲେ। ଚଳିତ ଅଧିବେଶନ କାଳରେ ସେ ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଆ‌ଖପାଖ କିଛି ରାସ୍ତାକୁ ବନ୍ଦ କରାଯିବ ବୋଲି ସୂଚନା ରହିଛି। ଏହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ ସମୟରେ ପୁଲିସ୍ ଡିଜିଙ୍କ ସହ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନି‌ର୍ଦ୍ଦେଶକ ଆର୍ କେ ଶର୍ମା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇନ ଶୃଙ୍ଖଳା ଏଡିଜି ଜସବନ୍ତ ଜେଠୱା, ଡିସିପି ଉମାଶଙ୍କର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ବଜେଟ୍‌ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍‌ ଆଗତ କରିବେ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ପାରିତ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।