ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି : ପୁଲିସର ଲାଠି ଚାର୍ଜ

ବୁର୍ଲା,୬ /୪ : ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ଅନ୍‌ଲାଇନ୍‌ ବଦଳରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଆଜି ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର କିଛି ଛାତ୍ର ବିଶ୍ବବିଦ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ଜ୍ୟୋତିବିହାର କ୍ୟାମ୍ପସରେ ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠି ଚାଳନା କରିଥିବା ସୂଚନା ମିଳିଛି। ଏଥିରେ ଆନ୍ଦୋଳନକାରୀ ଛାତ୍ର ଓ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ ବରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଅଞ୍ଚଳର ବହୁ ଛାତ୍ରଛାତ୍ରୀ ପୂର୍ବରୁ ଅଫଲାଇନ୍ ପରୀକ୍ଷା କରାଇବାକୁ କୁଳପତିଙ୍କୁ ଚିଠି ଲେଖିଥିଲେ। ଆଜି ସେମାନେ ବିଶ୍ୱବିଦ୍ୟାଳୟକୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ କେହି ଉପସ୍ଥିତ ନ ଥିବାରୁ ଆଲୋଚନା ହୋଇ ପାରି ନ ଥିଲା। ଏହା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଛାତ୍ର ମାନଙ୍କୁ ବୁଝାସୁଝା କରିଥିଲା। ସେପଟେ ଅନେକ ସମୟ ପର୍ଯ୍ୟନ୍ତ ସମ୍ବଲପୁର ଵିଶ୍ବବିଦ୍ୟାଳୟ ଫାଟକ ଵନ୍ଦ ରହିଥିବାରୁ ଏହାକୁ ନେଇ ଛାତ୍ରମାନେ ଭିତରକୁ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ପୁଲିସ ଓ ଉତ୍ୟକ୍ତ ଛାତ୍ରମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଛାତ୍ରମାନେ କିଛି ନ ଶୁଣିବାରୁ ପୁଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଏଥିରେ ଆନ୍ଦୋଳନକାରୀ ଓ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି । ଏହାପରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ କେତେକ ଛାତ୍ର ଆହତ ହୋଇଛନ୍ତି।