ବାଲେଶ୍ୱର, ୨୩/୯ (ରଂଜନ ବାଗ) : ସମଗ୍ର ଜିଲ୍ଲାରେ ବାଲିମାଫିଆମାନେ ସକ୍ରିୟ ଥିବା ବେଳେ ଆଜି ଜିଲ୍ଲାର ଉପାନ୍ତ ଜଳେଶ୍ୱର ଅଞ୍ଚଳରେ ଚୋରାବାଲି ଚାଲାଣ କରୁଥିବା ଅଭିଯୋଗରେ ୪ଟି ବାଲି ସହ ଟ୍ରାକ୍ଟରକୁ ସ୍ଥାନୀୟ ତହସିଲ ଅଫିସ୍ ପକ୍ଷରୁ ଜବତ କରାଯାଇଛି । ଏହିଘଟଣା ବାଲି ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ମାଫିଆମାନେ ବିପୁଳ ପରିମାଣରେ ବାଲି ଉଠାଇ ନଦୀକୂଳ, ରାସ୍ତା ଏବଂ ନିକଟସ୍ଥ ଗ୍ରାମମାନଙ୍କରେ ଗଚ୍ଛିତ ରଖି ସେସବୁକୁ ବର୍ଷାଋତୁରେ ଚଢାମୂଲ୍ୟରେ ବିକ୍ରିକରି ବେଶ୍ ମୁନାଫା ଉଠାଇ ଚାଲିଛନ୍ତି । ଏବାବଦରେ ବାରମ୍ବାର ଅଭିଯୋଗ ହେବା ସଂଗେ ସଂଗେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିଲା । ତଥାପି ନଦୀପଠାରୁ ବାଲି ଉତ୍ତୋଳନ ବନ୍ଦ ହେଉନଥିଲା । ଶେଷରେ ପ୍ରଶାସନ ଦୃଢ ପଦକ୍ଷେପ ନେବାପାଇଁ ବାଧ୍ୟ ହେବା ସଂଗେ ସଂଗେ ସ୍ଥାନୀୟ ତହସିଲଦାର କ୍ଷୀରଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଆଜି ଜବତ କରାଯିବ ସହିତ ଏବାବଦରେ ତଦନ୍ତ ଜାରି ରହିଛି । ତେବେ କୌଣସି ଚୋରା ବାଲି ବେପାରୀ ଧରାପଡ଼ି ନଥିବା ଜଣାପଡ଼ିଛି ।