ଆଶ୍ରମରେ ସନ୍ନ୍ୟାସିନୀଙ୍କୁ ଦୁଷ୍କର୍ମ କଲେ ୪ଦୁର୍ବୃତ୍ତ, ୩ ଅଭିଯୁକ୍ତ ଗିରଫ

ଗୋଡ୍ଡା, ୯/୯: ଝାଡ଼ଖଣ୍ଡର ଗୋଡ୍ଡା ସ୍ଥିତ ଏକ ଆଶ୍ରମର ସନ୍ନ୍ୟାସିନୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ୪ଜଣ ଦୁର୍ବୃତ୍ତ ଏହି ଅପରାଧ କରିଛନ୍ତି ।ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ସାଢ଼େ ୨ଟାରେ ଦୁର୍ବୃତ୍ତମାନେ ଆଶ୍ରମର କାନ୍ଥ ଭାଙ୍ଗି ଭିତରେ ପଶିଥିଲେ। ତାଙ୍କ ପାଖରେ ଧାରୁଆ ଅସ୍ତ୍ର ଥିଲା ଏବଂ ଗୋଟିଏ କକ୍ଷରେ ୩ଜଣ ସନ୍ନ୍ୟାସିନୀ ଶୋଇଥିଲେ। ୨ଜଣ ସନ୍ନ୍ୟାସିନୀ ଯେକୌଣସି ମତେ ସେମାନଙ୍କ କବଳରୁ ଖସି ଯାଇଥିଲେ। କିନ୍ତୁ ଆଉ ଜଣଙ୍କୁ ସେମାନେ ସେହି କକ୍ଷରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଜଣେ ସାଧୁ ଏହାର ବିରୋଧ କରିବାରୁ ତାଙ୍କୁ ନିର୍ଧୁମ ପିଟିଥିଲେ।

ପୀଡ଼ିତା ମଙ୍ଗଳବାର ମାମଲା ରୁଜୁ କରିଥିଲେ। ଏହା ପରେ ପୋଲିସ୍ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲା। ପୋଲିସ୍ ଚତୁର୍ଥ ଅଭିଯୁକ୍ତକୁ ଧରିବା ପାଇଁ ଖୋଜା ଜାରି ରଖିଛି। ପୋଲିସର କହିବା ଅନୁସାରେ ପୀଡ଼ିତା ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ଫେବୃୟାରୀ ମାସରେ ଆଶ୍ରମ ଆସିଥିଲେ କିନ୍ତୁ ଲକଡାଉନ୍ କାରଣରୁ ଏଠାରେ ଫସି ଯାଇଥିଲେ।