ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର ପଚରାଉଚରା କଲା ଏନସିବି, ଜାଣନ୍ତୁ କିଏ କଣ କହିଲେ

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଅନ୍ୟତମ ସଂଦିଗ୍ଧ ତଥା ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରି ପଚରାଉଚରା କରିବା ପରେ ବଲିଉଡରେ ଡ୍ରଗ୍ସ କାରବାର ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରୁ ପରଦା ହଟିଥିଲା। ସୁଶାନ୍ତ ତାଙ୍କର ଦୁଇ ସହ-କଳାକାର ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କ ସହ ଡ୍ରଗ୍ସ ସେବନ କରୁଥିଲେ ବୋଲି ବୟାନ ରଖିଥିଲେ ରିୟା। ଏହାପରେ ଏହି ଦୁଇ ବଲିଉଡ୍ ନାୟିକାଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା ଏନସିବି।

ଆଜି ସେହି କ୍ରମରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ‘ଛିଛୋରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରଦ୍ଧା କପୁର ଓ ‘କେଦାରନାଥ’ରେ ତାଙ୍କର ନାୟିକା ଥିବା ସାରା ଅଲ୍ଲୀ ଖାନଙ୍କୁ ସମନ କରିଥିଲା ଏନସିବି। କାରଣ ଏନ୍‌ସିବି ସମ୍ମୁଖରେ ରିୟା ନିଜ ବୟାନ ଦେବା ସମୟରେ ଡ୍ରଗ୍‌ସ୍‌ ସଂପୃକ୍ତି ନେଇ ସାରା ଓ ଶ୍ରଦ୍ଧାଙ୍କ ନାମ ନେଇଥିଲେ।

‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ପାର୍ଟି ପାଇଁ ଶ୍ରଦ୍ଧା, ସୁଶାନ୍ତଙ୍କ ସହ ତାଙ୍କ ଲୋନାଭଲା ଫାର୍ମହାଉସ୍‌ ଯାଇଥି‌ଲେ। ସେଠାରେ ଡ୍ରଗ୍‌ସ୍‌ ପାର୍ଟି ହେଉଥିବାର ପ୍ରମାଣ ଏନ୍‌ସିବିର ହସ୍ତଗତ ହୋଇଛି। ଆଜି ଏନସିବିରେ ହାଜର ହୋଇ ଶ୍ରଦ୍ଧା କପୁର କହିଛନ୍ତି ଯେ ‘ଛିଛୋରେ’ ସକସେସ୍ ପାର୍ଟିକୁ ସେ ଯାଇଥିଲେ, କିନ୍ତୁ ଡ୍ରଗସ ସେବନ କରିନାହାନ୍ତି।

ସେହିପରି ଏନସିବିକୁ ରିୟା ତାଙ୍କ ବୟାନରେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ‘କେଦାରନାଥ’ ଚଳଚ୍ଚିତ୍ରର ସୁଟିଂ ସମୟରେ ସୁଶାନ୍ତ ସିଂ ରାଜପୁତ ହିମାଳୟରେ ରହିଥିଲେ, ମାଗଣା ଉପଲବ୍ଧତା ହେତୁ ସେ ସେଠାରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ‘କେଦାରନାଥ’ର ପୂରା ସେଟ୍ ଡ୍ରଗ୍ସ ନେଉଥିଲା। ଫିଲ୍ଲର ନାୟିକା ସାରା ଅଲ୍ଲୀ ଖାନ୍ ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ। ସାରାଙ୍କ ସହ ମିଶି ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ସେଠାରୁ ଫେରିବା ପରେ ସେ ଡ୍ରଗ୍ସକୁ ଛାଡ଼ି ପାରି ନଥିଲେ। ମାତ୍ର ଡ୍ରଗସ ସେବନ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ସାରା। ଏନସିବି ଗେଷ୍ଟହାଉସରେ ଆଜି ହାଜର ହୋଇ ସାରା ଅଲ୍ଲୀ ଖାନ୍ ଡ୍ରଗସ ସେବନ କରନ୍ତି ନାହିଁ ବୋଲି ପଚରାଉଚରା ସମୟରେ ବୟାନ ରଖିଛନ୍ତି।