ପୂର୍ବତନ ବାଚସ୍ପତି ସ୍ଵର୍ଗତ ଶରତ କରଙ୍କୁ ମିଳିନାହିଁ ଉଚିତ ସମ୍ମାନ : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର,୧୯/୧୦ : ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନେତା ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ନପାରିବା ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ଜଣେ ଯଶସ୍ୱୀ ରାଜନେତାଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଶରତ କରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ସ୍ମୃତିସଭାରେ ବିଶ୍ୱଭୂଷଣ ଏଭଳି କହିଛନ୍ତି।

ଜୁମ୍ ଭିଡିଓ ଆପ୍ ମାଧ୍ୟମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଦଳମତ ନିର୍ବିଶେଷର ରାଜ୍ୟର ମାନ୍ୟଗଣ ବ୍ୟକ୍ତି ଓ ରାଜନେତାମାନେ ସ୍ଵର୍ଗତ କରଙ୍କ ସ୍ମୃତିଚାରଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶରତଙ୍କୁ ଉଚିତ ସମ୍ମାନ ମିଳିନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।