ଜେଲ୍‌ରୁ ମୁକୁଳିବେ ଜୟଲଳିତାଙ୍କ ସହଯୋଗୀ ଶଶିକଳା

ବେଙ୍ଗାଲୁରୁ ୧୯/୧: ପୂର୍ବତନ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳା ଜାନୁଆରୀ ୨୭ରେ ବେଙ୍ଗାଲୁରୁ ସ୍ଥିତ ପାରାପନ୍ନା ଆଗ୍ରାହରା ଜେଲ୍‌ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି। ଆୟବହିର୍ଭୁତ ସମ୍ପତି ଅଭିଯୋଗରେ ଶଶିକଳା ୪ ବର୍ଷ ହେଲା ଜେଲ୍‌ରେ ଅଛନ୍ତି।

୬୪ କୋଟି ଟଙ୍କାର ଆୟବହିର୍ଭୁତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ ସଜା ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସଜାକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ସେ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ।

ତେବେ ତାମିଲନାଡୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ପୂର୍ବତନ ସହଯୋଗୀ ତଥା ଆୟବର୍ହିଭୂତ ସଂପତ୍ତି ମାମଲାରେ ସଜା କାଟୁଥିବା ଭିକେ ଶଶିକଳା ୧୮ ନଭେମ୍ବର ୨୦୨୦ରେ ବେଙ୍ଗାଲୁରୁ ଅଦାଲତରେ ୧୦ କୋଟି ଟଙ୍କାର ଜୋରିମାନା ଭରିଥିଲେ । ପରେ ତାଙ୍କ ଓକିଲ ଏହି ବିଷୟରେ ସୂଚନା ଦେଇ କହିଥିଲେ ଯେ, ଏବେ ଶଶିକଳା ଶୀଘ୍ର ଜେଲ୍‌ରୁ ମୁକୁଳିବାର ଆଶା ରହିଛି।