ନୂଆଦିଲ୍ଲୀ,୧୩ /୬ : କରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ସୁବିଧାରେ ଟଙ୍କା ଯୋଗାଇ ଦେବାକୁ ଦେଶର ସର୍ବବୃହତ ଜାତୀୟକରଣ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘କବଚ ପର୍ସନାଲ ଲୋନ ’ ନାମରେ ଏକ ଋଣ ଯୋଜନା ଆଣିଛି । ଏହି ଯୋଜନାରେ କମ୍ ସୁଧହାରରେ କରୋନା ସଂକ୍ରମିତ ଋଣ ନେଇ ଚିକିତ୍ସିତ ହୋଇପାରିବେ ।
ସୂଚନା ମୁତାବକ ବ୍ୟାଙ୍କର ଏହି ସ୍କିମରେ ଜଣେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବ । ଏସବିଆଇର ଚେୟାରମ୍ୟାନ ଦିନେଶ ଖ୍ୱାରୀ କହିଛନ୍ତି କି, “ଏସବିଆଇ ଏହି ସ୍କିମ୍ ଲଞ୍ଚ କରି ବେସ୍ ଖୁସି ଅଛି । ଏହି ସ୍କିମ୍ ମାଧ୍ୟମରେ ସାଧାରଣ ଲୋକ କମ୍ ସୁଧରେ ଋଣ ନେଇ ନିଜର କିମ୍ବା ପରିବାର ଲୋକଙ୍କର କରୋନା ଚିକିତ୍ସା କରାଇପାରିବେ” ।
ବ୍ୟାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି, ଏହି ଋଣ ପାଇଁ ଋଣଧାରକ ବ୍ୟାଙ୍କକୁ କିଛି ବି ବନ୍ଧକ ଦେବାକୁ ପଡିବ ନାହିଁ । ଏହି ଯୋଜନାରେ ସର୍ବାଧିକ ୫ ଲକ୍ଷ ସର୍ବନିମ୍ନ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଓ ତାହାକୁ ଋଣ ଧାରକ ୫ ବର୍ଷ ପର୍ଯ୍ୟନ୍ତ ସୁଝିବାର ସୁବିଧା ରହିଛି । ଏହି ଋଣ ଉପରେ ଋଣଧାରକଙ୍କୁ ବାର୍ଷିକ ୮.୫ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ଅନ୍ୟପଟେ ଲୋନ ଉପରେ ମୋରାଟୋରିୟମ ଅବଧି ରହିଛି ।
ଏହି ଋଣ ଯୋଜନାର ଲାଭ ଦରମା ପ୍ରାପ୍ତ, ପେନସନ ଭୋଗୀ ଓ ସାଧାରଣ ଲୋକ ନେଇପାରିବେ । ଏହି ଋଣ ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ବ୍ୟାଙ୍କ ତରଫରୁ କୁହାଯାଇଛି କି, କରୋନାରେ ପୀଡିତ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷରେ ଏଭଳି ଋଣ ଯୋଜନା ଲଞ୍ଚ କରାଯାଇଛି ।