ଏସବିଆଇର ନୂଆ ଚେୟାରମ୍ୟାନ ଭାବେ ଦୀନେଶ କୁମାର ଖାରା ନିଯୁକ୍ତ

ନୂଆଦିଲ୍ଲୀ, ୭/୧୦ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଅଧ୍ୟକ୍ଷ ଭାବରେ ଦୀନେଶ କୁମାର ଖାରା ନିଯୁକ୍ତ ହୋଇଛନ୍ତି। ତାଙ୍କୁ ରଜନୀଶ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ମଙ୍ଗଳବାର ଦିନ ରଜନୀଶ କୁମାର ତାଙ୍କର ତିନି ବର୍ଷ କାର୍ଯ୍ୟ ସମାପ୍ତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର ଦୀନେଶ କୁମାର ଖାରାଙ୍କୁ ଏସବିଆଇର ଅଧ୍ୟକ୍ଷ ଭାବରେ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଗତ ମାସରେ ବ୍ୟାଙ୍କର ବୋର୍ଡ ବ୍ୟୁରୋ ଖାରାଙ୍କ ନାମକୁ ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ସୁପାରିଶ କରିଥିଲା। ଶ୍ରୀ ଖାରା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ-ପରିଚାଳନା ନିର୍ଦ୍ଦେଶକ ଥିଲେ। ପରମ୍ପରା ଅନୁଯାୟୀ କାର୍ଯ୍ୟରତ ପରିଚାଳନା ନିର୍ଦ୍ଦେଶକଙ୍କ ଗୋଷ୍ଠୀରୁ ଏସବିଆଇର ଅଧ୍ୟକ୍ଷ ନିଯୁକ୍ତ ହୋଇଥାନ୍ତି।

ପୂର୍ବରୁ ଖାରା ୨୦୧୬ ଅଗଷ୍ଟରେ ତିନି ବର୍ଷ ପାଇଁ ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ପରେ ୨୦୧୯ରେ ତାଙ୍କୁ ଦୁଇ ବର୍ଷର ସେବା ସମ୍ପ୍ରସାରଣ ମିଳିଥିଲା। ଖାରା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏସବିଆଇର ଗ୍ଲୋବାଲ୍ ବ୍ୟାଙ୍କିଙ୍ଗ୍ ବିଭାଗର ମୁଖ୍ୟ ଥିଲେ। ସେ ଏସବିଆଇର ଅଣ ବ୍ୟାଙ୍କିଙ୍ଗ୍ ସହାୟକ କମ୍ପାନୀଗୁଡିକର ବ୍ୟବସାୟ ଉପରେ ମଧ୍ୟ ତଦାରଖ କରୁଥିଲେ। ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ଖାରା ଏସବିଆଇ ଫଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଥିଲେ। ସେ ୧୯୮୪ରେ ପ୍ରୋବେସନାରୀ ଅଫିସର ଭାବରେ ଏସବିଆଇରେ ଯୋଗ ଦେଇଥିଲେ ଏବଂ ୨୦୧୭ ଏପ୍ରିଲରେ ପାଞ୍ଚଟି ସହାୟକ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ଏସବିଆଇ ସହ ମିଶ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।